ପୂଜାରେ ‘ପୂଜା’ କାହିଁ?
ବିଚିତ୍ର ବିଶ୍ୱାଳ
ଦଶହରା ବଜାର ଏବେ ପୂରା ଗରମ । କି ସହର କି ଗାଁ’ ସବୁଠି ଏବେ ଦଶହରାର ରଙ୍ଗୀନ ମାହୋଲ । ସବୁଆଡେ଼ ମା’ ଦୁର୍ଗାଙ୍କର ପୂଜାକୁ ନେଇ ଲୋକମାନେ ପୂରା ଉତ୍ସବ ମୂଖର । ମାଇକ୍, ଲାଇଟ୍ ଓ ମେଢ଼ରେ ସବୁ ସହର ବଜାର ଏବେ ଝଲସୁଛି । ଗୋଟିଏ ପଟେ ଆମ ପରମ୍ପରା ଓ ସଂସ୍କୃତିରେ ଥିବା ପୂଜା ପର୍ବାଣୀରେ ଚାକଚକ୍ୟ ଓ ଆଡ଼ମ୍ବର ବଢ଼ି ଚାଲୁଥିବା ବେଳେ ଅନ୍ୟପଟେ ସେହିସବୁ ପୂଜା ପର୍ବାଣୀର ଅସଲ ମହତ୍ୱ କମିକମି ଚାଲୁଛି ବୋଲି ନିୟମିତ ଭାବେ ଅଭିଯୋଗ ହୋଇଆସୁଛି । ଏହି ସବୁ ପୂଜା ପର୍ବାଣୀରେ ଯେପରି ଭାବେ ବାଜା, ବାଣ, ରୋଷଣୀ ବଢ଼ୁଛି, ସେହି ହିସାବରେ ଏହା ପଛରେ ଥିବା ସାଂସ୍କୃତିକ ବିଚାରଧାରା ଓ ଭକ୍ତିଭାବ କମିବାରେ ଲାଗୁଛି । ଧୀରେଧୀରେ ଏହି ସବୁ ପୂଜା ପର୍ବାଣୀ ନିଜ ମୂଳ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇ କେବଳ ଗୋଟିଏ ମେଳାରେ ସୀମିତ ହୋଇଗଲାଣି ।
ବର୍ତ୍ତମାନର ଦୁର୍ଗା ପୂଜାକୁ ଯଦି ଆମେ ଦେଖିବା, ତେବେ ଅତୀତ ତୁଳନାରେ ଏହା ଅନେକ ବିକଶିତ ହେଲାଣି ବୋଲି କହିବାକୁ ହେବ । ଏବେ ସବୁଠି ବିରାଟ ବିରାଟ ମେଢ଼, ଡେକୋରେସନ, ରଙ୍ଗ ବେରଙ୍ଗର ଏଲ.ଇ.ଡି. ଆଲୋକ ମାଳା, ଡିଜେ ସାଉଣ୍ଡ, ରୁପା ଓ ସୁନାର ମେଢ଼ ଆଦି ବର୍ତ୍ତମାନ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ହେଲାଣି । କେବଳ ଏତିକି ହୋଇନି, ଗୋଟିଏ ସହରରେ ଦୁର୍ଗା ପୂଜାର ମେଢ଼ ସଂଖ୍ୟା ମଧ୍ୟ ଯଥେଷ୍ଟ ପରିମାଣରେ ବଢ଼ିଛି । ଗୋଟିଏ ପୂଜା କମିଟିର ଆଉ ଗୋଟିଏ ପୂଜା କମିଟି ସହିତ ଅଦୃଶ୍ୟ ପ୍ରତିଦ୍ୱନ୍ଦିତା ଚାଲୁଛି, କାହା ମେଢ଼ ବଡ଼ ହେବ! କେଉଁ ଛକ ବଜାରର ପୂଜା ଅଧିକ ଚାକଚକ୍ୟଭରା ଓ ଆଡମ୍ବରପୂର୍ଣ୍ଣ ହେବ । କାହା ମେଢ଼ ରୁପାରେ ହେଲାଣି ତ କିଏ ସୁନାରେ ମେଢ଼ କରି ତାଙ୍କୁ ପଛରେ ଛାଡ଼ି ଦେବାକୁ ଆଗେଇ ଆସୁଛନ୍ତି । ଏହି ସବୁ ପ୍ରତିଦ୍ୱନ୍ଦିତା, ଆଡ଼ମ୍ବର ଓ ଚାକଚକ୍ୟ ଭିତରେ ଲୋକମାନେ ବି ଦୁର୍ଗାପୂଜାକୁ କେବଳ ଗୋଟିଏ ମେଳା ବୁଲିବା ଭାବେ ନେଇଗଲେଣି । ଲୋକମାନଙ୍କ ପାଇଁ ଦୁର୍ଗାପୂଜା ଧୀରେଧୀରେ ଗୋଟିଏ ଲମ୍ବା ଛୁଟି ଓ ମେଳା ବୁଲିବା ପରି ହୋଇଗଲାଣି । ଏବେ ତ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ଆତସବାଜିର ବିସ୍ଫୋରଣ-ବିଶିଷ୍ଟ ରାବଣ ପୋଡ଼ି ଓ ନାଚଗୀତ ଭରା ଭସାଣୀ ଉତ୍ସବରେ ସୀମିତ ହୋଇଗଲାଣି । ପରିସ୍ଥିତି ଏମିତି ହେଲାଣି ଯେ ପୂଜାରେ ବଜାର ବୁଲିବା, ମେଢ଼ ଦେଖିବା ଓ ନାଚଗୀତରେ ମଜ୍ଜିଯାଇ ଲୋକମାନେ ମେଢ଼ ଭିତରେ ପୂଜା ପାଉଥିବା ମା’ଙ୍କୁ ପ୍ରଣାମ କରବାକୁ ବି ଭୁଲି ଯାଉଛନ୍ତି । ଆଜିର ସମୟରେ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ଧୀରେଧୀରେ ସଂକୁଚିତ ହୋଇଯାଉଛି । ଯେମିତି ଲୋକମାନେ ବୁଲିବା ପାଇଁ ବା ମନୋରଞ୍ଜନ ପାଇଁ ମଲ୍ କି ସିନେମା ଦେଖିବାକୁ ଯାଆନ୍ତି, ଏବେ ପୂଜା ବି ଠିକ୍ ସେମିତି ହେବାକୁ ବସିଲାଣି । ମନୋରଞ୍ଜନର ଏକ ସିଜିନାଲ୍ ମାଧ୍ୟମ । ଏହା ଦ୍ୱାରା ଆମ ସଂସ୍କୃତି ମଜଭୁତ ହେଉଛି କି ସଂକୁଚିତ ହେଉଛି, ଏହା ଚିନ୍ତା କରିବାର ବିଷୟ ।
ଆମ ସଂସ୍କୃତିରେ ମାତୃ ପୂଜା ବା ଦୁର୍ଗା ପୂଜା ଏକ ମୁଖ୍ୟ ଧାରା । ଭକ୍ତି ଭାବ ହିଁ ଏହି ସବୁ ପୂଜାର ମୁଖ୍ୟ ଭିତ୍ତି । ଲୋକମାନଙ୍କ ମନରେ ମା’ଙ୍କ ପ୍ରତି ଥିବା ଭକ୍ତି ହିଁ ପୂଜାର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଆଜିର ତାରିଖରେ ଏହି ସବୁ ଉଦ୍ଦେଶ୍ୟଠାରୁ ଆମ ପୂଜା ମଣ୍ଡପ ଅନେକ ଦୂରରେ ଥିବା ପରି ଜଣାଯାଉନାହିଁକି? ଅଧିକାଂଶ ଲୋକମାନେ ଆଜି ଭକ୍ତି ଭାବ ପାଇଁ ପୂଜାକୁ ଯାଉନାହାନ୍ତି, ବୁଲିବା ବା ମନୋରଂଜନ ହିଁ ସେମାନଙ୍କ ପୂଜା ମଣ୍ଡପକୁ ଯିବାର ମୂଖ୍ୟ କାରଣ ବୋଲି ଅନୁଭବ ହେଉଛି । ଯଦିଓ ପ୍ରତ୍ୟେକ ଛକ ବଜାରର ମେଢ଼ରେ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜା ପାଠ ଚାଲୁଛି, କିନ୍ତୁ ସେଥିପ୍ରତି ଅନେକଙ୍କ ଆଗ୍ରହ ନାହିଁ । ପ୍ରାୟ ସମସ୍ତଙ୍କ ଆଗ୍ରହ ପୂଜା ମଣ୍ଡପର ବାହାରେ, ଭିନ୍ନ ଭିନ୍ନ ଡିଜାଇନର ମେଢ଼, ସାଜସଜ୍ଜା, ଲାଇଟ୍ ଓ ସାଉଣ୍ଡରେ ।
କେବଳ ଦୁର୍ଗା ପୂଜା ନୁହେଁ, ଆମେ ପାଳନ କରୁଥିବା ଅନେକ ପୂଜା ଆଜି କେବଳ ମେଳାରେ ପରିଣତ ହୋଇଗଲାଣି । ଯେଉଁଠି ଭକ୍ତି ବ୍ୟତୀତ ଆଉ ସବୁ କିଛି ଥିବାର ଦେଖାଯାଉଛି । ପୂର୍ବରୁ ଗଣେଶ ପୂଜା କେବଳ ଶିକ୍ଷାନୁଷ୍ଠାନମାନଙ୍କରେ ପାଳନ ହେଉଥିଲା । କିନ୍ତୁ ଆଜି ପ୍ରତ୍ୟେକ ଛକ ବଜାରରେ ଗଣେଶ ପୂଜା କରାଯାଉଛି । ଯାହାର ମୁଖ୍ୟ ଆକର୍ଷଣ ପୂଜା ନୁହେଁ, ଭସାଣୀ । ଭସାଣୀ କାର୍ଯ୍ୟକ୍ରମରେ ଡିଜେ ବାଜି ଯେଉଁ ନାଚଗୀତ ହେବ ତାହା ହିଁ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେହି ବି ଅସହମତ ହେବେନି । ଭଗବାନଙ୍କ ମୂର୍ତ୍ତି ଓ ପୂଜା ପଛେ ଅତି ସାଧାରଣ ଭାବେ ହୋଇପାରେ, କିନ୍ତୁ ଭସାଣୀ କାର୍ଯ୍ୟକ୍ରମ ଅତି ଆଡମ୍ବର ସହକାରେ ହେବ ହିଁ ହେବ । ନହେଲେ ଆୟୋଜକ ମାନଙ୍କ ନାକ ନିଶ ତଳେ ପଡ଼ିଯିବ । ପୂଜାରେ ଖର୍ଚ୍ଚ ହେଉଥିବା ସଂହ ଭାଗ ସାଜସଜ୍ଜା ଓ ଭସାଣୀରେ ହିଁ ଖର୍ଚ୍ଚ ହେଉଛି ।
ଏହିସବୁ ପୂଜା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥିବା ବେଳେ, ଏଥିରୁ ଭକ୍ତି ଭାବ କମି କେବଳ ବାହ୍ୟ ଆଡ଼ମ୍ବରରେ ଏସବୁ ସିମୀତ ହେବାରେ ଲାଗିଛି! ପୂଜାମାନଙ୍କରେ ଆଜି ପ୍ରାୟତଃ ‘ପୂଜା’ ନିରୁଦ୍ଧିଷ୍ଟ ହୋବାକୁ ଲାଗିଲାଣି । ତେଣୁ ଏହା ସଂସ୍କୃତିକୁ ମଜବୁତ୍ କରୁଛି କି ଦୁର୍ବଳ କରୁଛି ବିଚାର କରିବା କଥା ।
……………………..
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
Comments are closed.