Latest Odisha News

BREAKING NEWS

ଏଣିକି ପ୍ରଶ୍ନପତ୍ର ଲିକ୍ ହେଲେ ମିଳିବ କଠୋର ଶାସ୍ତି, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ:ଏଣିକି ସାବାଡ ହେବେ ଠକ। ମିଳିବ କଠୋର ଶାସ୍ତି। ଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବ। ସୋମବାର ଏନେଇ ଲୋକସଭାରେ ସର୍ବସାଧାରଣ ପରୀକ୍ଷା (Prevention of Unfair Means) ବିଲ ୨୦୨୪ ଆଗତ ହୋଇଛି। ଏଥିରେ ନିୟମକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଏହି ବିଲ ଶିକ୍ଷାର୍ଥୀଙ୍କୁ ପ୍ରଭାବିତ କରିବ ନାହିଁ କହି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ଉପସ୍ଥାପନ କରିଥିଲେ।

ଅନେକ ସମୟରେ ବିଭିନ୍ନ ଗ୍ୟାଙ୍ଗ, ମାଫିଆମାନେ ଅନିୟମିତତା କରୁଥିବା ଦେଖିବାକୁ ମିଳିଥାଏ। ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଟାର୍ଗେଟ କରି ବ୍ୟବସ୍ଥା କରାଯାଇଛି। ଏଥିରେ ଯଦି ସରକାରୀ ଅଧିକାରୀମାନେ ଜଡ଼ିତ ରହୁଛନ୍ତି ତେବେ ସେମାନଙ୍କୁ ମଧ୍ଯ ତ୍ରାହି ମିଳିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

ଦେଶର ବିଭିନ୍ନ ସ୍ଥାନରେ ଏପରି ପ୍ରଶ୍ନପତ୍ର ଲିକ୍ କୁ ନେଇ ଅଭିଯୋଗ ଆସିଥାଏ। ସେ ରାଜସ୍ଥାନର ଶିକ୍ଷକ ନିଯୁକ୍ତି ପରୀକ୍ଷା ହେଉ ଅବା ହରିଆଣାରେ ଗ୍ରୁପ ଡି ପାଇଁ ସିଇଟି, ଗୁଜରାଟରେ ଜୁନିୟର କ୍ଲକ ନିଯୁକ୍ତି ପରୀକ୍ଷା ଓ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଦେଖିଛନ୍ତି ଦେଶବାସୀ। କେବଳ ଏହି ଅଞ୍ଚଳ ବୋଲି ନୁହେଁ ବହୁ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଏପରି ଖବର ସାମ୍ନାକୁ ଆସିଥାଏ। ଏଥିପାଇଁ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ବିଲ୍‌ ଆଣିଛନ୍ତି।

ତେବେ ଏହି ବିଲ୍‌ କିପରି କାର୍ଯ୍ୟକାରୀ ହେବ, କିପରି ଅନିୟମିତତାରେ ରୋକ୍ ଲାଗିବ ସେ ନେଇ ମଧ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ପରୀକ୍ଷାକୁ ସୁରକ୍ଷିତ ଭାବେ ପରିଚାଳିତ କରିବ। କମିଟି ପରୀକ୍ଷା ଓ ପ୍ରଶ୍ନପତ୍ର ପ୍ରସ୍ତୁତ ପାଇଁ ପ୍ରୋଟକଲ ପ୍ରସ୍ତୁତ କରିବ। ଆଇଟି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ପରୀକ୍ଷା କେନ୍ଦ୍ରରେ ସର୍ଭେଲାନ୍ସ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ। ପ୍ରବେଶିକା ପରୀକ୍ଷା ପାଇଁ ଜାତୀୟ ସ୍ତରର ସେବା ଯୋଗାଇ ଦିଆଯିବ। ଏହି ନିୟମ ଅନୁସାରେ କୌଣସି ଗ୍ୟାଙ୍ଗ କିମ୍ବା ଅନାଧିକୃତ ଲୋକ ପରୀକ୍ଷା ପରିଚାଳନାରେ ସାମିଲ ହୋଇପାରିବେ ନାହିଁ।ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ସ୍ୱଚ୍ଛତା, ନିରପେକ୍ଷତା ଓ ଉତ୍ତରଦାୟିତ୍ୱକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ପ୍ରବେଶିକା ପରୀକ୍ଷାର ପରିଚାଳନା ପାଇଁ ସାଧାରଣ ପରୀକ୍ଷା ପ୍ରାଧିକରଣଙ୍କ ଦ୍ୱାରା ନିଯୁକ୍ତ ସେବା ପ୍ରଦାନକାରୀ ସଂସ୍ଥା ଯଦି ଦୋଷ କରନ୍ତି, ତା’ହେଲେ ସେମାନଙ୍କୁ ମଧ୍ୟ ଜେଲଦଣ୍ଡ ସହ ୧ କୋଟି ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। ତାଙ୍କ ଠାରୁ ପରୀକ୍ଷା ପାଇଁ ହୋଇଥିବା ଖର୍ଚ୍ଚକୁ ମଧ୍ୟ ଆଦାୟ କରାଯିବ। ଠକେଇ ଓ ଆର୍ଥିକ ହେରଫେର ପାଇଁ ନକଲି ୱେବସାଇଟ ଖୋଲିବା, ନକଲି ପରୀକ୍ଷା କରିବା, ନକଲି ଆଡମିଟ କାର୍ଡ ଦେବା, ଠକେଇ କିମ୍ବା ଆର୍ଥିକ ହେରଫେର ପାଇଁ ଅଫର ଲେଟର ଦେବା, ସିଟିଂ ବ୍ୟବସ୍ଥାକୁ ପ୍ରଭାବିତ କରିବା ଓ ବେଆଇନ ଭାବେ ଆଶାୟୀଙ୍କୁ ସେମାନଙ୍କ ପରୀକ୍ଷା ପାଇଁ ତାରିଖ ଦେବା ଆଦି କାମ ନୂଆ ବିଲ୍‌ରେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା ହେବ।

ଯଦି ଏହି ଆଇନ ଅନୁସାରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ୩ରୁ ୫ ବର୍ଷ ଯାଏ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ। ଏପରି ସର୍ଭିସ ପ୍ରୋଭାଇଡରମାନଙ୍କୁ ୪ ବର୍ଷ ଯାଏ କୌଣସି ପ୍ରକାରର ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ମଧ୍ୟ ମିଳିବ ନାହିଁ। ୟୁପିଏସ୍‌ସି, ଏସ୍‌ଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ। ସଂଗଠିତ ଭାବେ ପ୍ରବେଶିକା ପରୀକ୍ଷାରେ ଅନିୟମିତତା କରୁଥିବା ଲୋକଙ୍କୁ ୫ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ସହ ୧ କୋଟି ଟଙ୍କା ଫାଇନ ଦେବାକୁ ପଡ଼ିବ।

Comments are closed.