Latest Odisha News

ବିଚ ରାସ୍ତାରେ ପିଟିଲା ପୋଲିସ, ଖାକିର ଏ କି ଦାଦାଗିରି?

ପିପିଲି: ପୁରୀ ଜିଲ୍ଲା ପିପିଲିରେ ସୋମବାର ରାତିରେ ଜଣେ ଯୁବକଙ୍କୁ ରାସ୍ତାରେ ଜଣେ ପୁଲିସ ଅଧିକାରୀ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପିପିଲି ବ୍ଲକ ହସନପୁର ଗ୍ରାମର ନୃସିଂହ ପ୍ରଧାନ ନାମକ ଜଣେ ଯୁବକଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତିକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ବୁଝାମଣା ପରେ ଥାନାରେ ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି।

ତେବେ କୌଣସି ଅଜଣା କାରଣରୁ ଅନ୍ୟ ଦୁଇ ଜଣ ପୁଲିସ କର୍ମୀଙ୍କ ସହ ମିଶି ନୃସିଂହ ପ୍ରଧାନଙ୍କୁ ହାତ ଧରି ରାସ୍ତାରେ ଲାଠିରେ ମାଡ଼ ମାରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ନୃସିଂହ ପ୍ରଧାନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଏବଂ ଛାଡି ଦେବାକୁ ଆକୁଳ ନିବେଦନ କରୁଛନ୍ତି କାରଣ ପୋଲିସ ତାଙ୍କୁ ବାରମ୍ବାର ମାଡ଼ ମାରିଚାଲିଛି।

ତେବେ ଏହି ଘଟଣାପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ନୃସିଂହ ପ୍ରଧାନ କିମ୍ବା ପୁଲିସ ପକ୍ଷରୁ ଏ ନେଇ କୌଣସି ବୟାନ ଦିଆଯାଇନାହିଁ।

ସଦ୍ୟତମ ଘଟଣାର ଭିଡିଓକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Comments are closed.