Latest Odisha News

BREAKING NEWS

‘ରୋଜ ଡେ’: ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ କହିବ ମନର କଥା

ଭୁବନେଶ୍ବର: ପ୍ରେମ ମାନେନାହିଁ ବୟସ, ଜାତି ଓ ସୀମା ସରହଦ । ସେ ସବୁବେଳେ ଶାଶ୍ବତ ଓ ଚିରନ୍ତନ । ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗୀନ କରିଦିଏ । ଆଉ ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ ।

ଆଜିଠୁ ଆରମ୍ଭ ହେଲା ପ୍ରେମର ପର୍ବ ‘ଭାଲେଣ୍ଟାଇନ ଓ୍ବିକ’ ବା ପ୍ରେମ ସପ୍ତାହ । ପ୍ରେମ ପର୍ବର ପ୍ରଥମ ଦିବସ ‘ରୋଜ ଡେ’ ରୁ ଆରମ୍ଭ ହୋଇଥାଏ । ଆଜି ଗୋଲାପ ଫୁଲ ବା ରୋଜ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ । ପରସ୍ପରକୁ ଗୋଲାପ ଦିବସର ଅଭିନନନ୍ଦନ ଜଣାଇବେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରତିଶୃତି ଦେବେ ।

ପ୍ରେମୀଯୁଗଳଙ୍କ ପାଇଁ ଏହି ଦିବସ ଅନେକ ଗୁରୁତ୍ବ ବହନ କରୁଛି । ଅନେକଙ୍କ ପ୍ରେମ ଗୋଲାପ ଦିବସରୁ ଆରମ୍ଭ ମଧ୍ୟ ହୋଇଥାଏ । ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ମାନା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ । ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କହାଯାଏ ।

ଏହାର ଗାଢ଼ ଲାଲ୍‌ ରଙ୍ଗ ପ୍ରେମର ଗଭୀରତାକୁ ଦର୍ଶାଇଥାଏ । ଲାଲ୍‌ ରଙ୍ଗର ଗୋଲାପକୁ ନେଇ ପ୍ରେମ କାହାଣୀରେ ଅନେକ କଥା ରହିଛି । ଗ୍ରୀକ୍‌ ପୁରାଣ ଅନୁସାରେ ପ୍ରେମର ଦେବୀ ଭେନସ୍‌ ଗୋଲାପ୍‌ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି । ସେହିଭଳି ରୋଜ୍‌କୁ ଓଲଟାଇ ଲେଖିଲେ ‘Eros’ ହୋଇଥାଏ । ଈରୋସ୍‌ଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ ।

ଆଜିର ଦିନ ପ୍ରେମୀ ଯୁବଳଙ୍କ ପାଇଁ ଗୁରୁତ୍ବ ବହନ କରୁଥିବା ବେଳେ ସକାଳୁ ସକାଳୁ ଫୁଲ ଦୋକାନଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥିବାବେଳେ, ବଜାର ଚାହିଦାକୁ ଦୃଷ୍ଟିରେ ରଖି , ଦୋକାନ ଗୁଡିକରେ ଦର ମଧ୍ୟ ବୃଦ୍ଧି ପାଇଛି । ନିଜ ସାଥୀର ମନକୁ ପାଇଲା ଭଳି ସୁନ୍ଦର ଗୋଲାଫ ଫୁଲ ଟିଏ କିଣି ନେଉଛନ୍ତି । ଆଉ କେହି କେହି ଫିଲର ବୁକ୍ ମଧ୍ୟ ନେଉଛନ୍ତି ।

ତେବେ ଗୋଲାପ କେବଳ ନିଜ ପ୍ରେମକୁ ଜଣାଇବାକୁ ଦିଆଯାଏ ତା ନୁହଁ ଏହା ବନ୍ଧୁଙ୍କୁ ମଧ୍ୟ ଦିଆଯାଏ । ଲାଲ୍ ଗୋଲାପ ବାଦ୍ ଅନ୍ୟ ରଙ୍ଗର ଗୋଲାପର ମଧ୍ୟ ଅଲଗା ଅଲଗା ମହତ୍ବ ରହିଛି…
ଗୋଲାପୀ: ଯଦି ଆପଣ କାହାଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି, କାହାର ଆଦର୍ଶରେ ଆପଣ ନିଜକୁ ସୁନ୍ଦର କରି ଗଢ଼ି ତୋଳିଛନ୍ତି ତେବେ ଆଜି ସେହି ବ୍ୟକ୍ତିଙ୍କୁ ଗୋଲାପୀ ଗୋଲାପ ଟିଏ ଦେଇ ନିଜର କୃତଜ୍ଞତା ଜଣାନ୍ତୁ । କାରଣ ନିଜର ଖୁସି ସହ କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ବ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ ।

ଧଳା ଗୋଲାପ: ଧଳା ରଙ୍ଗକୁ ପବିତ୍ର ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ । ଆଉ ଧଳା ରଙ୍ଗର ଗୋଲାପ ନିଃସର୍ତ୍ତ ଓ କୋମଳ ପ୍ରେମର ପ୍ରତୀକ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ ।

ହଳଦିଆ ଗୋଲାପ: ଗଭୀର ବନ୍ଧୁତ୍ୱର କଥା କହେ ହଳଦିଆ ଗୋଲାପ । ଗୋଲାପ ଦେଇ ଏହି ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜଭୁତ କରିପାରିବା । ଯଦି ଆପଣ ନିଜ ବନ୍ଧୁଙ୍କ ଖୁବ୍ ଭଲପାଉଛନ୍ତି, ତାଙ୍କୁ ଆଦୌ ଛାଡ଼ିବାକୁ ଚାହୁଁ ନାହାନ୍ତି, ତେବେ ଆଜି ତାଙ୍କୁ ଗୋଟିଏ ହଳିଦିଆ ଗୋଲାପ ଦେଇ ଗଭୀର ବନ୍ଧୁତ୍ୱର ଅନୁଭବ କରାନ୍ତୁ ।

Leave A Reply

Your email address will not be published.