Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାକାର ରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ସାକାର ରୂପରେ ଦର୍ଶନ କରୁଥିଲେ ମଧ୍ୟ, ତାଙ୍କୁ (ଶ୍ରୀଜଗନ୍ନାଥ ) ପ୍ରତିମା ବୋଲି ବିବେଚନା କରିବା ଶାସ୍ତ୍ର ସମ୍ମତ ନୁହେଁ। ସ୍କନ୍ଦ ପୁରାଣ କହେ “ଦାରବୀ ମୂର୍ତ୍ତିରେ ଷେତି ପ୍ରତିମା ବୁଦ୍ଧିର ତ୍ରବେୟୀ, ମାଭୁତ୍ତେ ନୃପଣାଦ୍ଦ୍ରୁଳ ପରଂବ୍ରହ୍ମl କୃତି ସ୍ତିୟମ । ” ଅର୍ଥାତ ହେ ନୃପତି, ଏହି ଦାରୁମୟ ରୂପରେ ତୁମେ ପ୍ରତିମା ଜ୍ଞାନ ନକରି, ପରଂବ୍ରହ୍ମ ଜ୍ଞାନ କରିବ। ଏହି କଥା ବ୍ରହ୍ମl ସ୍ୱୟଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। ଆମେ ଆଗରୁ ଆଲୋଚନା କରିଛେ ସ୍ୱୟଂକୁ ଦେହ ସର୍ବସ୍ବ ନଭାବି ଆତ୍ମ ସର୍ବସ୍ୱ ଭାବିବା ଅର୍ଥାତ ଆମର ଆତ୍ମ ଜ୍ଞାନ ହେଲେ ଯାଇ ସମ୍ପୂର୍ଣ ଭାବେ ପରଂବ୍ରହ୍ମଙ୍କୁ ଅନୁଭବ କରିପାରିବା। ନଚେତ ସାଧାରଣ ଭାବରେ ପ୍ରତିମା ଜ୍ଞାନ କରି ସାଂସାରିକ ମୋହ ମାୟା ଯୁକ୍ତ ହୋଇ କେବଳ ଆମ ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ପାର୍ଥନା କରୁଥିବା। କେବେ ମଧ୍ୟ ନିଜକୁ ଭୋଗ୍ୟ ଓ ଶ୍ରୀଜଗନ୍ନାଥଙ୍କୁ ଭୋକ୍ତା ଭାବରେ ଚିନ୍ତା କରିପାରିବlନି। ପ୍ରତିମା ଜ୍ଞାନରେ ପୂଜା କଲେ ଆମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଭିଳାଷ ରଖି ତାଙ୍କୁ ଦୃଶ୍ୟ କରି ନିଜେ ଦ୍ରଷ୍ଟା ହୋଇଯିବା।

ପ୍ରକୃତରେ ସେ (ଶ୍ରୀଜଗନ୍ନାଥ )ହିଁ ସକଳ ଜଗତର ଏକମାତ୍ର ଦ୍ରଷ୍ଟା ଓ ସମସ୍ତ ଜଗତ କେବଳ ତାଙ୍କ ଚିରନ୍ତନ ସୃଷ୍ଟିର କିଛି ଦୃଶ୍ୟ ମାତ୍ର । ସେ ହିଁ ସକଳ ସୃଷ୍ଟି ପ୍ରକ୍ରିୟାର କର୍ମ ସ୍ୱରୂପ ତଥା ନିଖିଳ କର୍ମର ଉପକରଣ ଓ ଫଳଦାୟକ। ସମସ୍ତ ଜୀବଙ୍କ ଦ୍ୱାରା ସମ୍ପାଦିତ ହେଉଥିବା ସକଳ କର୍ମର ଫଳ ଭୋକ୍ତା ହିଁ କେବଳ ପରଂବ୍ରହ୍ମ ଶ୍ରୀଜଗନ୍ନାଥ। ତେଣୁ ସ୍କନ୍ଦ ପୁରାଣ କହେ “ସମସ୍ତ କର୍ମ ଭୋକ୍ତା ତ୍ବଂ, ସର୍ବକର୍ମାତ୍ବକ ପ୍ରଭୋ. ସର୍ବକର୍ମୋପକରଣଂ, ସର୍ବକର୍ମ ଫଳପ୍ରଦ, କର୍ମ ପ୍ରେରୟିତ୍ୱl ତ୍ବଂ ହି ଧର୍ମ କlମାର୍ଥ ସିଦ୍ଧିନଃ, ତ୍ୱାମୁତେ ମୁକ୍ତିନଃ କୋଅନ୍ୟ, ହୃଷିକେଶ ନମୋସ୍ତୁତେ।

ଏହିପରି ଭାବରେ ସ୍ତୁତି କରି ସର୍ବ କର୍ମ ଅକର୍ମଦାୟକ ଭାବରେ ହୃଷିକେଶ ସ୍ୱରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ତୁତି କରାଯାଇଛି। ଏ ମାୟା ପୂର୍ଣ୍ଣ ଜଗତରେ କିନ୍ତୁ ଜୀବଟିଏ ତାର ସକଳ କର୍ମର ଶ୍ରେୟ ନିଜକୁ (ନଶ୍ୱର ଦେହକୁ )ଦେଉଛି ଏବଂ କର୍ମର ଫଳ ଭୋଗର ଆଶା କରୁଛି। ସେଥିପାଇଁ ହିଁ ସଂସାରରେ ସୁଖ ଓ ଦୁଃଖ ଉଭୟ ସମଭାବରେ ଅଛନ୍ତି। କାରଣ ଯଦି ନିଜକୁ ଭୋକ୍ତା କରିଦେବ ତେବେ ଉଭୟ ଫଳ ଭୋଗ କରିବ ଏବଂ ଯଦି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସବୁ କର୍ମଫଳର ଭୋକ୍ତା ବୋଲି ଚିନ୍ତା କରିବ ତେବେ ନିର୍ଲିପ୍ତ ଆତ୍ମ ଭାବରେ ରହି ସୁଖ ଦୁଃଖର ଅନୁଭବ ଠାରୁ ଉର୍ଦ୍ଧରେ ରହିବ। ମୁଁ (ଆତ୍ମା ବୋଧରେ) ସର୍ବଦା ଭଗବତ ଭୋଗ୍ୟ, ଭୋକ୍ତା ନୁହେଁ କି ଦ୍ରଷ୍ଟା ନୁହେଁ ଏହି ଭାବନା ହିଁ ପ୍ରକୃତ ଆତ୍ମଜ୍ଞlନୀ ର ପରିଚୟ।ତେଣୁ ପୁଣି ଶ୍ରୀମଦଭାଗବତର ଅମୃତ ବାଣୀ ସ୍ମରଣ କରିବା, ଆତ୍ମଜ୍ଞାନୀ ହେବା ।

“ଏଣୁ ସୁମନେ ବିଚାର,
ଚଞ୍ଚଳ ଚିତ୍ତ ସ୍ଥିର କର।
ସର୍ବ ଇନ୍ଦ୍ରିୟ ମନ ରୁନ୍ଧି
ନିୟତ କର୍ମେ ଦେଇ ବୁଦ୍ଧି,
ଆତ୍ମାକୁ ଦେଖ ସର୍ବମୟେ,
ବିବେକ ସୁଜ୍ଞାନ ଉଦୟେ।”

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

 

Comments are closed.