Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ବସ୍ତୁତ୍ବ ବିନାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ସାଧକ ହୋଇ ଆତ୍ମଲୀନ
କରଇ ଅସାଧ୍ୟ ସାଧନ
ସବୁ ଆଡ଼କୁ ଦେଲେ ଧ୍ୟାନ
ଏକାଗ୍ର ହୁଏନାହିଁ ମନ

ଅନ୍ୟକୁ ଦେଇ ଉପଦେଶ
ନିଜେ ନ କରିଲେ ପ୍ରୟାସ
ଉତ୍ପନ୍ନ ହୁଏନାହିଁ କୃତି
ଦୁଃଖରେ କାଳ କାଟେ ବ୍ୟକ୍ତି

ଜାଗ୍ରତ କରି ଅଂତର୍ଶକ୍ତି
ନିଜ କାମରେ ଥିଲେ ମାତି
ମିଳଇ ନିରଂତର ତୃପ୍ତି
ତାହା ହିଁ ସାଧକର ପ୍ରାପ୍ତି

ଯିଏ ଭାବନା କରେ ଦାନ
ତା ପାଇଁ ଅଲୋଡ଼ା ସମ୍ମାନ
ଆପଣା ଭାବରେ ତଲ୍ଲୀନ
ହୋଇ ସେ କରେ ସୁଲିଖନ

ଲେଖାଟେ ହେଲେ ପ୍ରସାରିତ
ପାଠକେ ଅଳ୍ପ କି ବହୁତ
କରଂତି ସେ ଲେଖା ପଠନ
ସାହିତ୍ୟ ହୁଏ ବର୍ଧମାନ

ମଥାରୁ ମଥା ବୁଲି ଭାଷା
ସଂଚାର କରିଲେ ଭରସା
ସାହିତ୍ୟ ହୁଅଇ ଆଦୃତ
ହେଉ ନ ହେଉ ପୁରସ୍କୃତ

ଭାଷାର ବସ୍ତୁତ୍ବ ବିନାଶ
ଚଂଚଳ ଘଟିବ ଅବଶ୍ୟ
ଅଂତର୍ଜାଲରେ ଉପସ୍ଥିତି
ଆଡ଼କୁ ଢଳୁ ଏବେ ମତି

Leave A Reply

Your email address will not be published.