ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଇତିହାସ ଆଲୋଚନା ପ୍ରସଙ୍ଗରେ ଆମେ ଜାଣିଲେ ଏହା କଳିଙ୍ଗ ଶୈଳୀରେ ନିର୍ମିତ୍ତ ମନ୍ଦିର ଓ ପୁରାଣ ବର୍ଣ୍ଣିତ ବାସ୍ତୁ ଶାସ୍ତ୍ରବିତ “ମୟ “ଏହି ଶୈଳୀର ସ୍ରଷ୍ଟା। କୁହାଯାଏ ଶିଳ୍ପୀ ମୟ ଜଣେ ଦୈତ୍ୟ ରାମାୟଣର ଉତ୍ତରାଖଣ୍ଡ ରେ ଏହି ଦୈତ୍ୟଙ୍କ ନାମ ଉଲ୍ଲେଖ ଥିବା ସମୟରେ, ମହାଭାରତରେ ଏହି ମୟ ଶିଳ୍ପୀ ପାଣ୍ଡବମାନଙ୍କ ସଭାଗୃହ ନିର୍ମାଣ କରିଥିବାର ପ୍ରମାଣ ମିଳେ। ଏହି ସଭା ଗୃହରେ ଦୁର୍ଯ୍ୟୋଧନ ଜଳ ପୂର୍ଣ୍ଣ ଜାଗାକୁ ଚଟାଣ ଭାବି ସେଥିରେ ପତିତ ହୋଇ ଅପମାନିତ ହୋଇଥିଲେ। ରାମାୟଣରେ ଏହା ମଧ୍ୟ ଉଲ୍ଲେଖ ଅଛିଯେ ରାବଣଙ୍କ ପାଟରାଣୀ ମନ୍ଦୋଦରୀ ଏହି ଦୈତ ଶିଳ୍ପୀ ମୟଙ୍କ ପୁତ୍ରୀ ଥିଲେ। ସେ ଯାହା ହେଉ କଳିଙ୍ଗ ଶୈଳୀର ବିଷ୍ଣୁ ମନ୍ଦିର ବା ଶିବ ମନ୍ଦିର ରେଖ ମନ୍ଦିର ଓ ପିଢା ମୁଖଶାଳାକୁ ନେଇ ଗଠିତ। ମୂଖ୍ୟ ଦେଉଳଟି ବିମାନ ଓ ସମ୍ମୁଖ ଦେଉଳଟି ଜଗମୋହନ ଭାବରେ ପରିଚିତ ହୋଇଥାଏ। ବିମାନଟି ରେଖ ଶୈଳୀର ଓ ମୁଖଶାଳାଟି ପିଢା ଶୈଳୀର ହୋଇଥାଏ। ଶ୍ରୀମନ୍ଦିରର ନିର୍ମାଣ ମଧ୍ୟ ଏହି ଶୈଳୀରେ ହୋଇଛି। ମୁଖ୍ୟତଃ ପଞ୍ଚରଥ ଓ ଛତିଶ ପ୍ରକାର ରେଖ ଦେଉଳ ମଧ୍ୟରେ ବିଷ୍ଣୁଙ୍କର ପ୍ରିୟ ଶ୍ରୀବତ୍ସ ଖଣ୍ଡଶାଳ ବିଦ୍ୟମାନ। ମୟଙ୍କ ଦ୍ୱାରା ରଚିତ ମୟମତ ଶିଳ୍ପଶାସ୍ତ୍ର ତଥା ଭୁବନପ୍ରଦୀପ ନାମକ ଶିଳ୍ପଗ୍ରନ୍ଥରେ ଏହି ଶୈଳୀର ବିଷଦ ଆଲୋଚନା ହୋଇଛି। କିନ୍ତୁ ଓଡ଼ିଶାର କୌଣସି ଗବେଷକ ବିଦ୍ୟମାନ ମନ୍ଦିର ଗୁଡିକର ମାପ ନେଇ ଏହାର ଶୈଳୀ ର ସଠିକ ନିରୂପଣ କରିନାହାନ୍ତି ସମ୍ପୂର୍ଣ୍ଣ ଶ୍ରୀମନ୍ଦିରଟି କୁଣ୍ଡା ପଥର ବା ବଉଳମାଳା ପଥରରେ ତିଆରି ହୋଇଛି। ଏହାର କାରଣ ହେଲା ଏହି ଜାତୀୟ ପଥର ଓଡ଼ିଶାରେ ବହୁଳ ଭାବରେ ମିଳିଥାଏ। କିନ୍ତୁ ସମୁଦ୍ରର ଲୁଣା ପବନରେ ଏହି ପଥର କ୍ଷୟ ହୋଇଥାଏ ଖ୍ରୀଷ୍ଟିୟ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ୍ତ ଏହି ମନ୍ଦିର ଖ୍ରୀଷ୍ଟିୟ ଷୋଡଶ ଶତାବ୍ଦୀ ବେଳକୁ କ୍ଷୟ ହେବାର ସୂଚନା ମିଳିବାରୁ ତତ୍କାଳୀନ ରାଜା ଗଜପତି ପ୍ରତାପରୁଦ୍ର ଦେବ ଏହାର ବ୍ୟାପକ ମରାମତି କରିବା ସହ ସମ୍ପୂର୍ଣ୍ଣ ମନ୍ଦିରର ବାହାର ପଟେ ଏକ ବହଳିଆ ଚୂନର ପ୍ରଲେପ ଲଗାଇ ଥିଲେ। କିନ୍ତୁ ନିକଟ ଅତୀତରେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ଚୂନ ପ୍ରଲେପ ଛଡାଇ କିଛି ରାସାୟନିକ ପ୍ରଲେପ ଦେଇଛନ୍ତି। ଯାହାଦ୍ୱାରା ମନ୍ଦିରର କାରୁକାର୍ଯ୍ୟ ଦୃଶ୍ୟମାନ ହେବା ସହ ମନ୍ଦିରର ସଂରକ୍ଷଣ ହୋଇ ପାରିଛି।
ଆଗାମୀ ଅଧ୍ୟାୟରେ ଜାଣିବା ଆଉ କେଉଁ କେଉଁ ସଂସ୍କାର ହୋଇଛି। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର।
ସମଦରଜି ଚିତ୍ତ ଯାର
ତାଙ୍କୁ ମୋର ନମସ୍କାର।
ସକଳ ଦେହେ ନାରାୟଣ
ବସନ୍ତି ଅନାଦି କାରଣ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.