Latest Odisha News

ଆଜି ପବିତ୍ର ସରସ୍ବତୀ ପୂଜା, ଧରାପୃଷ୍ଠରେ ବିରାଜିଲେ ବିଦ୍ୟାଦାତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଏ । ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ ।

ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ । ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ । ବିଶେଷ କରି ଛୋଟ ଛୋଟ ପିଲାଙ୍କର ବିଦ୍ୟା ଆରମ୍ଭ, ନୂତନ ଗୃହ ଆରମ୍ଭ, ଗୃହ ପ୍ରତିଷ୍ଠା, ଛୋଟ ପିଲା ମାନଙ୍କର ଅନ୍ନ ପ୍ରସନ୍ନ ଖାଲି ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥ କାଠ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।

ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା’ ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ଆଜି ଘରେଘରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସଂଘ, କ୍ଲବ୍‌ରେ ମା’ ବାଗଦେବୀଙ୍କର ଆରାଧନା କରାଯିବ । କାରଣ ଦେବୀ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ଜ୍ଞାନ ବଢିଥାଏ । ବିଶେଷକରି ଛାତ୍ରଛାତ୍ରୀମାନେ ମାଆଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ଶକ୍ତି ରୂପେ ବିଦିତ ମା’ ସରସ୍ବତୀ ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜା ହେଉଥିଲା, ଫୁଲର ଦୋଳିରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜ ଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।

Leave A Reply

Your email address will not be published.