ଭୁବନେଶ୍ୱର: ୨୦୧୪ ମସିହାରେ ଜଣେ ଅର୍ଥୋପେଡିକ୍ ଡାକ୍ତର ଓ ତାଙ୍କ କେୟାର ଟେକର ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା ମାମଲାର ଅଭିଯୁକ୍ତ ସ୍ନେହା ଶୋକର ସାମଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ୱରର ଏକ ଅଦାଲତ।
୨୦୧୪ ଅକ୍ଟୋବର ୧୪ ତାରିଖରେ ଖଣ୍ଡଗିରି ପାହାଡ଼ ନିକଟରେ ଡାକ୍ତର ଅତୁଲ୍ୟ ମେହେର, ପ୍ରଶାନ୍ତ ବେହେରା ଓ ତାଙ୍କ ୧୪ ବର୍ଷର ପୁଅ ମିନୁଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାମଲଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍-୧ଙ୍କ କୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଯଦି ସାମଲ ଜରିମାନା ପୈଠ ନ କରନ୍ତି ତେବେ ତାଙ୍କୁ ଅତିରିକ୍ତ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ମାମଲାର ପ୍ରମାଣ ଓ ସାକ୍ଷୀମାନଙ୍କୁ ଯାଞ୍ଚ କରିବା ପରେ ଅଦାଲତ ଏହି ରାୟ ଶୁଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ମେଡିସିନ ରିପ୍ରେଣ୍ଟେଟିଜ ଭାବେ କାମ କରୁଥିବା ସାମଲ ଡାକ୍ତର ମେହେରଙ୍କ ଘରେ ଫୁଲଗୁଚ୍ଛ ଓ ବ୍ୟାଗରେ ଛୁରୀ ଧରି ପଶିଥିଲେ। ଝିଅର ଚିକିତ୍ସା ପାଇଁ ମହଙ୍ଗା ଔଷଧ ଲେଖିଥିବାରୁ ଡାକ୍ତରଙ୍କ ଉପରେ ତାଙ୍କର ରାଗ ଥିଲା।
ସାମଲ ପ୍ରଥମେ ଡାକ୍ତରଙ୍କ କେୟାର ଟେକର ପ୍ରଶାନ୍ତଙ୍କୁ ଛୁରାମାଡ଼ କରିଥିଲେ। ପ୍ରଶାନ୍ତଙ୍କ ଚିତ୍କାର ଶୁଣି ତାଙ୍କ ପୁଅ ମିନୁ ଘଟଣାସ୍ଥଳରେ ପହଞ୍ଚିବା ସହ ସାମଲ ମଧ୍ୟ ତାଙ୍କୁ ଛୁରାମାଡ଼ କରିଥିଲେ। ସାମଲଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ପ୍ରଶାନ୍ତଙ୍କ ପତ୍ନୀ ରୁନୁ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ। ଏହାପରେ ସାମଲ ଡାକ୍ତରଙ୍କ କୋଠରୀକୁ ଯାଇ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ସାମଲ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ଏହି ଡାକ୍ତର ଆମେରିକାରୁ ଫେରିବାର ମାତ୍ର ଦୁଇ ଦିନ ପରେ ଏହି ଘଟଣା ଘଟିଥିଲା।
Comments are closed.