Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ: କିପରି ଓ କେମିତି ହୁଏ ବନକଲାଗି !

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ବେଶ ଅନୁଷ୍ଠିତ ହେଉଛି । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସେବକମାନେ ନୀଳାଦ୍ରୀବିଜେ ପରେ ପ୍ରଥମଥରଲାଗି ବନକଲାଗି ବେଶ କରାଉଛନ୍ତି । ବନକଲାଗିର ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ ସୌନ୍ଦର୍ଯ୍ୟରେ ଭରିଉଠିବ । ଭକ୍ତମାନେ କଳାଠାକୁରଙ୍କ ଏହି ଅପରୂପ ସୌନ୍ଦର୍ଯ୍ୟପୂର୍ଣ୍ଣ ଶ୍ରୀମୁଖ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେକରିବେ ।

ପାରମ୍ପରିକ ନୀତିକାନ୍ତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଜୀଉମାନଙ୍କୁ ହିଙ୍ଗୁଳ, ହରିପଲ, ଧଳା ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ଶ୍ରୀମୁଖ ଶୃଙ୍ଗାର ପରେ ଶ୍ରଦ୍ଧାଳୁମାନେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିପାରିବେ ।

ଶ୍ରୀମନ୍ଦିରର ପାରମ୍ପରିକା ରୀତିନୀତି ଅନୁସାରେ ୨ୟ ଭୋଗ ମଣ୍ଡପରେ ଏହି ବନକଲାଗି ବେଶ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

ଏହି ବନକଲାଗି ବେଶକୁ ଭକ୍ତମାନେ ବେଶ ପରେ ଦର୍ଶନ କରିପାରିବେ । ମାତ୍ର ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିପାରେ ।

ତିନି ମୂରତିଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଏହି ବନକଲାଗି ବେଶ ହୁଅନ୍ତି । ମହାପ୍ରଭୁ ଭାରୀ ପ୍ରସାଧନ ତଥା ଶୃଙ୍ଗାରପ୍ରିୟ । ବିଭିନ୍ନ ପ୍ରାକୃତିକ ପ୍ରସାଧନରେ ଶୃଙ୍ଗାର ହେବେ ମହାପ୍ରଭୁ । ଏହି ଖାସ୍ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ରହିଛନ୍ତି ଦତ୍ତମହାପାତ୍ର ସେବାୟତ । ଏହି ସେବକ ମାନେ ରଙ୍ଗ ପ୍ରସ୍ତୁତ କରି ଠାକୁର ମାନଙ୍କୁ ରଙ୍ଗ ଲଗାନ୍ତି ।


ଶଙ୍ଖକୁ ଚୂର୍ଣ୍ଣକରି ପ୍ରସ୍ତୁତ ହୁଏ ଧଳା ବର୍ଣ୍ଣ । ହରିତାଳରୁ ହୁଏ ହଳଦିଆ ରଙ୍ଗ । ହିଙ୍ଗୁଳରୁ ହୁଏ କଳାରଙ୍ଗ । କର୍ପୂର ଓ କସ୍ତୁରୀ ଅନ୍ୟ ସମସ୍ତ ରଙ୍ଗରେ ମିଶେ । ନାଲି ଆଉ କଳାରେ ଜାଫ୍ରାନ କେଶର ମଧ୍ୟ ରହିଥାଏ । ଏହି ରଙ୍ଗ ସବୁ ପ୍ରସ୍ତୁତ କରିବା ପାଇଁ ଭିତର ବେଢାର ଉତ୍ତରପଟେ ଗୋଟିଏ କୋଠରୀ ରହିଛି ଯାହାକୁ କୁହାଯାଏ ବନକଲାଗି ଘର । ରଙ୍ଗ ବଟାବଟି ଆଦି କାମ ହୋଇଥାଏ ଏହି ବନକଲାଗି ଘରେ ।

କେବଳ ବୁଧବାରରେ ହିଁ ବନକଲାଗି ନିୟମ ରହିଛି । ଦିନ ଦ୍ୱିପହର ଧୂପ ସରିଲେ ମନ୍ଦିରର ସମସ୍ତ ଦରଜା ବନ୍ଦ ହୋଇଯାଏ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରିଥାଆନ୍ତି ।

ବନକଲାଗି ବେଶ ପରେ ତିନିଠାକୁର ଅତ୍ୟନ୍ତ ସୁନ୍ଦର ଦିଶନ୍ତି । ଲାଗେ କୋଟି ବ୍ରହ୍ମାଣ୍ଡର ସୌନ୍ଦର୍ଯ୍ୟ ଏହି ଦାରୁଦେବତାଙ୍କ ଠାରେ ଯେମିତି ଝଟକୁଛି । ବନକଲାଗି ବେଶ ଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ଝଟକିଥାଏ ।

Leave A Reply

Your email address will not be published.