ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ବହଳ ଚୂନର ଆସ୍ତରଣ ଦିଆ ଯାଇଥିଲା ସେ ବିଷୟରେ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ରଚିତ “ଖୁରୁଧା ଇତିହାସ ” ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଖୋର୍ଦ୍ଧା ରାଜା ହରେକୃଷ୍ଣ ଦେବଙ୍କ ରାଜତ୍ୱ କାଳ (ଖ୍ରୀଷ୍ଟାବ୍ଦ ୧୭୧୬ ରୁ ୧୭୨୦)ରେ ଜନୈକ ଧରମୁ ହରିଚନ୍ଦନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଶ୍ରୀମନ୍ଦିରରେ ଚୂନ ପଲସ୍ତରା ହୋଇଥିଲା। ଏହା ଛଡା ଏହି ବର୍ଣ୍ଣନା ମିଳେ ଯେ ମହାରାଜ ବୀର କେଶରୀ ଦେବ ( ପ୍ରଥମ )ଙ୍କ ରାଜ୍ୱତ କାଳ ଯଥା ଖ୍ରୀଷ୍ଟାଦ୍ଧ ୧୭୩୬ରୁ ୧୭୮୩ମଧ୍ୟରେ ମହାରାଜଙ୍କ ପାଟମହାଦେଈ ଶ୍ରୀମନ୍ଦିର ରେ ଚୂନ ପ୍ରଲେପ ଚଢାଇ ଥିଲେ। ଶ୍ରୀମନ୍ଦିର ଗର୍ଭଗୃହର ଉପର ଭାଗରେ ଥିବା ଅଭିଲେଖ ଅନୁଯାୟୀ ମଧ୍ୟ ଏହି କଥାର ପ୍ରମାଣ ମିଳେ। ଏଥିରେ ରାଜା ବୀର କେଶରୀ ଦେବଙ୍କ ୨୮ ଅଙ୍କ ବୋଲି ଉଲ୍ଲେଖ ଅଛି। ଯାହା ଖ୍ରୀଷ୍ଟାବ୍ଦ ୧୭୬୮ବୋଲି ଜଣାଯାଏ। କିନ୍ତୁ ବିଶେଷ ଅନୁସନ୍ଧାନରୁ ଜଣାଯାଏ ଏହି ସମୟରେ ବହଳ ଚୂନ ପ୍ରଲେପ ଲଗାନଯାଇ କେବଳ ଚୁନ ଧଉଳା କାର୍ଯ୍ୟ ହୋଇଥିଲା। ଅନ୍ୟ ଦିଗରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅନୁସନ୍ଧାନ ଅନୁଯାୟୀ ବିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ଘଟଣାର ପରବର୍ତ୍ତୀ ସମୟରେ ଯଥା ଖ୍ରୀଷ୍ଟାବ୍ଦ ୧୭୧୩ରୁ ୧୭୧୮ ମଧ୍ୟରେ ଚୂନ ପଲସ୍ତରା କାମ ଶେଷ ହୋଇଥିଲା।
ଆଗରୁ ଆଲୋଚନା କରିଛେ ଯେ ଶ୍ରୀମନ୍ଦିରକୁ ସମୁଦ୍ରର ଲୁଣି ହାୱାର ପ୍ରଭାବରେ ହେଉଥିବା କ୍ଷୟ କ୍ଷତିରୁ ରକ୍ଷା କରିବା ପାଇଁ ଏହି ବହଳ ଚୂନ ପଲସ୍ତରା ହୋଇଥିଲା ଓ ସମୟ ହିସାବରେ ଏହା ଥର ଥର ହୋଇ ନିଶ୍ଚିତ ଭାବେ ହୋଇଛି। ସେଥିପାଇଁ ବିଭିନ୍ନ ମତ ବାହାରୁଛି। ସେ ଯାହା ହେଉ ତତ୍କାଳୀନ ଶିଳ୍ପୀମାନଙ୍କ ବିଦ୍ୟା ବୁଦ୍ଧି ପ୍ରୟୋଗ କରାଯାଇ ଚୂନ ଗୁଣ୍ଡ, ବେଲ ଅଠା ଓ ରନ୍ଧା ଗୁଡ଼ ର ସମ୍ମିଶ୍ରଣରେ ଏକ ପ୍ରକାର ଅଠାଳିଆ ପାଗ କରାଯାଇ ପ୍ରାୟ ୧୮ ଇଞ୍ଚ ବହଳରେ ଏହି ପ୍ରଲେପ ଦିଆ ଯାଇଥିଲା। ଯାହାର ପ୍ରଭାବରେ ଶତାଧିକ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଲୁଣି ପ୍ରଭାବକୁ ପ୍ରତିହତ କରିପାରିଥିଲା। ଆଜି କେବଳ ଜଗମୋହନର କିଛି ଅଂଶରେ ସେହି ପ୍ରଲେପ ଦେଖାଯାଏ। ବାକି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ତାର ପୂର୍ବ ସ୍ୱରୂପରେ ରାସାୟନିକ ପ୍ରଲେପ ଆଧାରରେ ସୁରକ୍ଷିତ ହୋଇଛି । ଆଗାମୀ ଅଧ୍ୟାୟ ରେ ଜାଣିବା ବିଭିନ୍ନ ସମୟରେ ଶ୍ରୀମନ୍ଦିରର ସଂରକ୍ଷଣ କାର୍ଯ୍ୟ କିପରି ଥିଲା। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର।
ଆପଣା ଦନ୍ତେ ଜିହ୍ୱା ଛେଦି
କେ ତାର ଅଛି ପ୍ରତିବାଦି।
କୃଷ୍ଣେ ଅର୍ପିତ ଯେତେ କର୍ମ
ସେ ଅଟେ ଭାଗବତ ଧର୍ମ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.