ନମିତା ପାଇକରାୟ
ରମେଶ, ଅଜୁ, ବୈଭବ ତିନିଜଣଯାକ ବହୁତ ଭଲ ସାଙ୍ଗ ଥିଲେ। ଏକା ଶ୍ରେଣୀରେ ତିନିଜଣ ଯାକ ପଢୁଥିଲେ। ପାଖା ପାଖି ନହେଲେ ବି ବେଶୀ ଦୂର ନଥିଲା ତିନିଜଣ ଙ୍କ ଘରର ବ୍ୟବଧାନ । ସ୍କୁଲ ଯିବା ସମୟରେ, ଡକାଡକି ହୋଇ ସାଙ୍ଗ ହୋଇ ସ୍କୁଲକୁ ଯାଆନ୍ତି। ଅଜୁ ଓ ବୈଭବଙ୍କ ସ୍ୱାସ୍ଥ୍ୟ ମୋଟାମୋଟି ଠିକ ଥିଲା। ରମେଶ କିନ୍ତୁ ଅତ୍ୟନ୍ତ ଦୁର୍ବଳ ଥିଲା। ପତଳା ପାଇଁ ଅଧିକ ଡେଙ୍ଗା ଲାଗୁଥିଲା । ସ୍କୁଲରେ ତାକୁ ସମସ୍ତେ “ଡାଙ୍ଗ” ଡାକୁ ଥିଲେ। ସିଏ ଭାରି ଚିଡୁଥିଲା। ସିଏ ଚିଡେ ବୋଲି ତାକୁ ସମସ୍ତେ ଚିଡାନ୍ତି ।
ଦିନେ ଏ ତିନିଜଣ ସାଙ୍ଗ ହୋଇ ସ୍କୁଲରୁ ଫେରୁଥିଲେ। ରାସ୍ତାରେ ବିପକ୍ଷ ଦଳର ସଞୟ, ଅଭିରାମ, ନିଶାନ୍ ଆହୁରି ଅନେକ ପିଲାଆସି ଡାଙ୍ଗକୁ ଧମକାଇଲେ କଥାବାର୍ତ୍ତା ହେଉହେଉ ହାତ ଉଠିଲା, ତାପରେ ବାଡିଆ ପିଟା ହୋଇ ଲହୁ ଲୁହାଣ ହେଲେ। କଥା ବୁଝୁବୁଝୁ ଡାଙ୍ଗ ସେମାନଙ୍କ ନାଆଁ ଲେଖି ହେଡ ମାଷ୍ଟରଙ୍କୁ ଦେଇଥିଲା, ସ୍କୁଲ ବାହାର ପାନ ଦୋକାନରୁ ସେମାନଙ୍କ ସିଗାରେଟ ପିଇବା ଡାଙ୍ଗ ଦେଖିଥିଲା, ମୋବାଇଲରେ ଫଟୋ ଉଠାଇ ହେଡ ମାଷ୍ଟରଙ୍କୁ ତା’ର ବାପାଙ୍କ ମୋବାଇଲରୁ ୱାଟ ସେଫରେ ପଠେଇଥିଲା। ଏ କଥା ଡାଙ୍ଗ କାହାକୁ କହି ନଥିଲା। ଡାଙ୍ଗ ଭାବୁ ଥିଲା ସେ ଗୋଟିଏ ବିରାଟ ବଡ ଭଲ କାମ କରିଛି। କିନ୍ତୁ ଏ କଣ ଭିନ୍ନ ମୋଡ ନେଲା କଥାଟା ।
ଅଜୁ ଆଉ ବୈଭବ ଅଯଥା ମାଡ ଖାଇଲେ ଏଇ ଡାଙ୍ଗ ସହ ସାଙ୍ଗ ହୋଇ। ଅଜୁ କହିଲା, “ତୁ ଆମ କୁ ତ ଏ କଥା କେବେ କହିନୁ ?” ଡାଙ୍ଗ ଚୁପ ରହିଲା। ବୈଭବ କହିଲା, “ତୋର ମନେ ନାହିଁ ଡାଙ୍ଗକୁ ସେଦିନ ସୁରେଶ ମାରିଥିଲା ଗୋଟିଏ ପିଜୁଳୀ ପାଇଁ, ସେଥିରେ ତା’ ବାପାଙ୍କୁ ଡାକି, ସ୍କୁଲରେ ସୁରେଶ କୁ ମାଡ ଖୁଆଇଥିଲା । ଆଜି ବି ଡାଙ୍ଗ ର ବାପା ଅଫିସ ରେ ହେଡ ମାଷ୍ଟର ଙ୍କ ସହ କଥା ହେବାର ମୁଁ ଦେଖିଛି । ଡାଙ୍ଗ ବି ଇଂଲିଶ ପିରିୟଡରେ କ୍ଲାସରୁ ଗାୟବ ଥିଲା । ନଟପିଅନ ତାକୁ ଡାକି ନେଇଥିଲା ହେଡ ସାର ଡାକୁଛନ୍ତି କହି । ଆମ କୁ ତ ସେ କିଛି କହୁନି। ଆମେ କଥା ଜାଣିଲା ବେଳକୁ ସବୁ ଓଲଟପାଲଟ ।ଆମେ କିଏ କାହାର କଣ ଆଉ ସାଙ୍ଗ ? ଦେଖ୍ ଡାଙ୍ଗ ତୁ ଆମ କୁ କିଛି କହ କି ନ କହ କିନ୍ତୁ ଆମକୁ ଅଯଥା ମାଡ ଖୋଇଲେ ଆମେ ତୋତେ ଛାଡିବୁନି । ସେଦିନ ତୋ ବାପା କଣ କହୁଥିଲେ, “ ମୋ ରମେଶ ଟା ଭଲପିଲା, ଏ ଅଜୁ ଆଉ ବୈଭବ ଙ୍କ ସହ ସାଙ୍ଗ ହୋଇ ବିଗିଡି ଗଲାଣି “। ଡାଙ୍ଗ ମାଡ ଖାଇ ଦେହ ମନ ସବୁ ଜଳୁଥାଏ ।ଡାଙ୍ଗ କହିଲା, ହଉ ଯା ମୁଁ ବି କାହା ସାଙ୍ଗେ ସାଙ୍ଗ ହେବାକୁ ଚାହୁଁନି ।ବୈଭବ ଆଉ ରହି ପାରିଲାନି, ବୈଭବ କହିଲା,” ଆମେ ସବୁ ଅନ୍ତରଙ୍ଗ ସାଙ୍ଗ ସମସ୍ତେ ସମସ୍ତ ଙ୍କ କଥା ଶୁଣିବା ବୁଝିବା । ଦେଖ୍ ଡାଙ୍ଗ ଆଜି ପରେ ଏ ଭୂଲ ଯେମିତି ନ ହୁଏ । କିଏ ସିଗାରେଟ ପିଇଲା ତ ତୋର କଣ ଗଲା ? ତୁ କଣ ରିପୋର୍ଟର ହେବୁ ?”
ତା’ପର ଦିନ ସ୍କୁଲକୁ ଆସି ଡାଙ୍ଗ କହିଲା, “ସତ କହିଛୁ ରେ ଭାଇ ବୈଭବ, କାଲି ଏଇଠି ମାଡ ଖାଇଲି । ଘରେ ବାପାଙ୍କ ମୋବାଇଲ ରୁ ୱାଟସେଫ ହେଡ ମାଷ୍ଟର ଙ୍କ ପାଖକୁ କରିଥିଲି ବୋଲି ମାଆ ଭଲ କରି ଛେଚି ଦେଲା, ହେଡ ମାଷ୍ଟର ଙ୍କୁ ବାପା ମୋ ଦୁଷ୍ଟାମି ର ବିଶଦ ବିବରଣୀ ଦେଇଆସିଛନ୍ତି ବୋଲି ମାଆକୁ କହୁଥିଲେ । ଆଜି ସ୍କୁଲ ରେ କଣ ହେବ କେଜାଣି ? ହେ ପ୍ରଭୂ ଜଗନ୍ନାଥ ଆଜି ବଞ୍ଚେଇବ ମୋତେ । “
କିଛିଦିନ ପରେ, ଗଣିତ ପିରିୟରେ ଗଣିତ ସାର ଛୁଟିରେ ଥିବାରୁ ହେଡ ମାଷ୍ଟର ଗଣିତ ପଢାଇବାକୁ ଆସିଥାନ୍ତି, ରମେଶ ତ ଏମିତି ଦୁର୍ବଳ, ପୁରା ଡାଙ୍ଗ, ସାରଙ୍କୁ ଦେଖି ତା ଦେହରୁ ରକ୍ତ ସୁଖିଗଲା । ସାର ବି ଗଣିତ ବୁଝଉ ବୁଝଉ ଡାଙ୍ଗକୁ ବାରମ୍ବାର ଚାହୁଁ ଥିଲେ। ସମସ୍ତଙ୍କୁ କିଛି ପ୍ରଶ୍ନ ପଚାରିଲେ। ଡାଙ୍ଗକୁ ଯାହା ପ୍ରଶ୍ନ ପଚାରିଲେ ଉତ୍ତର ଦେଇପାରିଲାନି ଡାଙ୍ଗ। ହେଡ ମାଷ୍ଟର ଭଲକରି ଉତ୍ତମ ମଧ୍ଯମ ଦେଲେ, କହିଲେ,”ପାଠଶାଠ କିଛି ନାହିଁତ ଖାଲି ଚୁଗୁଲି କାମ ଚାଲିଛି। ଅଳକାକୁ କଣ କହିଛୁ ?ସାରା କ୍ଲାସ ନୀରବ ହୋଇ ଗଲା। “ସାର ଚାଲି ଗଲା ପରେ ସମସ୍ତେ ଘେରି ଗଲେ ଡାଙ୍ଗକୁ, କଣ ହେଇଛି ? ଅଳକା କଥା କଣ କହିଲେ ସାର ?ଡାଙ୍ଗ ଚୁପଚାପ ଲଜ୍ଜିତ ହୋଇ ରାଗ ରେ ଫଁ ଫଁ ହେଉ ଥିଲା । ସ୍କୁଲ ସରିଲା ପରେ ଅଜୁ ଆଉ ବୈଭବ ରାସ୍ତାର ଡାହାଣ ପଟେ ଝଙ୍କାଳିଆ ବରଗଛର ସିଅ ଉପରେ ଡାଙ୍ଗକୁ ଅପେକ୍ଷା କରି ବସିଲେ । କିଛି ସମୟ ପରେ ଡାଙ୍ଗ ଆସିଲା, ବୈଭବ ପଚାରିଲା ଡାଙ୍ଗ, ଅଳକା କଥା କଣ କିରେ? ଡାଙ୍ଗ କହିଲା ଟିଉସନରୁ ଫେରିଲା ବେଳେ ଅଳକା ସହ ଝଗଡା ହୋଇ ଥିଲା ମୁଁ ତା ସାଇକେଲରୁ ପମ୍ପ ଖୋଲିଦେଇଥିଲି, ସେ କହିଲା ହେଡ ସାରଙ୍କୁ କହିଦେବ, ମୁଁ କହିଲି କହ, ହେଡ ସାର ମୋ ମାମୁଁ ।ଅଳକା ସତରେ କହିଦେବ ଦେବ ବୋଲି ମୁଁ ଭାବି ନଥିଲି ।
ଅଜୁ ଉଠିଲା, ଡାଙ୍ଗକୁ ଦୁଇ ଚାପୁଡା ପକେଇ ସିଧାସଳଖ ଘର ମୁହାଁ ଚାଲିଲା । ବୈଭବ ବି ତା ପଛେ ପଛେ ନିଜ ଘରକୁ ଫେରିଥିଲ। ।ଦୀର୍ଘ ବର୍ଷ ପରେ ବି ଏ କଥା କେହି ଭୂଲି ନଥିଲେ। ଡାଙ୍ଗର ଓଜନ ଶହେ କେଜି ଉପରେ ହେଲ। ପରେ ବି ସାଙ୍ଗମାନେ ଏବେ ବି ତାକୁ ଡାଙ୍ଗ ଡାକୁଛନ୍ତି । ସାଙ୍ଗ ଚିରକାଳ ସାଙ୍ଗ ହୋଇ ରହେ ।
Comments are closed.