ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଏବେ ଶୁଣାଣି ହେବନାହିଁ । କାରଣ ନିଜ ଆବେଦନକୁ ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପରେ କେଜ୍ରିୱାଲ ପୁନର୍ବାର ଏନେଇ ତଳ କୋର୍ଟରେ ଅପିଲ କରିବେ ତା’ପରେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେବେ ବୋଲି କହିଛନ୍ତି କେଜ୍ରିୱାଲଙ୍କ ଓକିଲ ଅଭିଶେକ ମନୁ ସିଂଘଭି ।
କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ, ଇଡି ୧୦ ଦିନିଆ ରିମାଣ୍ଡ ଆବେଦନ କରିଛି । ରିମାଣ୍ଡ ସମୟରେ ଶୁଣାଣି ପାଇଁ ସମସ୍ୟା ହୋଇପାରେ । ତେଣୁ ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ପ୍ରତ୍ୟାହାର କରାଯାଇଛି । ଏବେ ପ୍ରଥମେ ସେ ତଳ କୋର୍ଟରେ ଆବେଦନ କରିବେ, ତା’ପରେ ସୁପ୍ରିମକୋର୍ଟ ଯିବେ ।
ସୂଚନାଯୋଗ୍ୟ ଯେ, ଗତକାଲି ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା । ରାତିସାରା ଇଡି ମୁଖ୍ୟାଳୟରେ ରହିବା ପରେ ସକାଳୁ ସକାଳୁ ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା ।
Comments are closed.