ଭୁବନେଶ୍ୱର: ମାସ ଆରମ୍ଭରୁ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିଲା। ଏବେ କିନ୍ତୁ ମାସ ଶେଷ ହେବାର ସପ୍ତାହକ ପୂର୍ବରୁ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି। ତେଣୁ ଆସନ୍ତାକାଲିଠୁ ନିର୍ବାଚନ ବେଳେ ଯେଉଁଭଳି ଭାବେ ପ୍ରଚାର ସରଗରମ ହୁଏ ସେହିଭଳି ଓଡ଼ିଶାରେ ଦେଖିବାକୁ ମିିଳିବ। କାରଣ ମେଣ୍ଟ ଆଶଙ୍କାରେ ଦୁଇ ଦଳର ନେତା ଦ୍ବନ୍ଦ୍ବରେ ଥିଲେ। ତେଣୁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିନିଥିଲା ଏକ ପ୍ରକାର।
ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୋଶିଆଲ ମିଡିଆ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ସମସ୍ତ ଲୋକସଭା ଏବଂ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। ଫୁଲଦମରେ ଶାସକ ଦଳ ବିରୋଧରେ ଲଢିବ ବୋଲି ରାଜ୍ୟ ବିଜେପି ଦୃଢୋକ୍ତି ପ୍ରକାଶ କରିଛି। ଏହାପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଦଳ ପ୍ରସ୍ତୁତ ଅଛି।
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରି ସବୁ କ୍ଷେତ୍ରରେ ପୂର୍ବଭଳି ପରିବର୍ତନ ଆଣିଛି। ଓଡ଼ିଶାବାସୀଙ୍କ ସମର୍ଥନରେ ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୩ ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସେପଟେ ଭୁବନେଶ୍ୱର ସାଂସଦ ତଥା ରାଜ୍ୟ ବିଜେପିର ଉପସଭାପତି ଅପରାଜାତି ଷଡ଼ଙ୍ଗୀ କହିଛନ୍ତି, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା। ବିଜେପି ଏହାକୁ ପ୍ରତ୍ୟାକ୍ଷାନ କରିଛି। ସଭାପତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ସବୁ ସ୍ପଷ୍ଟ ହୋଇ ଯାଇଛି ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଓଡ଼ିଶାବାସୀ ମଧ୍ୟ ଏହା ଚାହୁଁଥିଲେ। ବିଜେପି ଏକାକୀ ଲଢିବ। ୧୪୭ ବିଧାନସଭା ଓ ୨୧ ଲୋକସଭାରେ ପ୍ରାର୍ଥୀ ଦେବା।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରୁ ମେଣ୍ଟ ହେବନି ବୋଲି ଏକ ପ୍ରକାର ଆଭାସ ଆସିଥିଲା। ଆସନ ବୁଝାମଣାକୁ ନେଇ ଦୁଇ ଦଳ ନିଜ ନିଜ ଜିଦରେ ଅଟଳ ରହିବା ପରେ ମେଣ୍ଟ ଆଶା ମଉଳିବ ବୋଲି ଓଡ଼ିଶା ସମ୍ବାଦ ଏବଂ ସହଯୋଗୀ ସଂସ୍ଥା ଓଡ଼ିଶା ବାଇଟସ ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ପ୍ରସାରଣ କରିଥିଲା। ଏବେ କିନ୍ତୁ ଦେଖିବାକୁ ବାକି ରହିଲା ଉଭୟ ଦଳ କେଉଁ ଏଜେଣ୍ଡାରେ ପରସ୍ପର ବିରୋଧରେ ମୈଦାନକୁ ଓହ୍ଲାଉଛନ୍ତି। କାରଣ ଉଭୟ ଦଳର ଶୀର୍ଷ ନେତା ଭଲ ବନ୍ଧୁ ବୋଲି ବିଜେଡିର ଶୀର୍ଷ ନେତା ଭି.କେ ପାଣ୍ଡିଆନ୍ କହିସାରିଛନ୍ତି।
Comments are closed.