Latest Odisha News

BREAKING NEWS

ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଦିଲ୍ଲୀ ଅବକାରୀ ନୀତି ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଏହା ସବୁଠାରୁ ବଡ ଦୁର୍ନୀତି । ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଫାଶରେ ପକାଇବା ପାଇଁ ବିଜେପି ସମ୍ପୂର୍ଣ୍ଣ ଷଡଯନ୍ତ୍ର କରିଛି ।

ସଞ୍ଜୟ ସିଂ କହିଛନ୍ତି, “କୁଚକ୍ର ଓ ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ କିପରି ଗିରଫ କରାଗଲା ତାହା ଆଜି ମୁଁ ଆପଣଙ୍କୁ କହିବି । ୨ କୋଟି ଲୋକଙ୍କ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିବା ପାଇଁ କ’ଣ ଯୋଜନା କରାଯାଉଛି ତାହା ମଧ୍ୟ ମୁଁ ପ୍ରକାଶ କରିବି । ତା’ଛଡା ବିଜେପି ଦ୍ୱାରା କରାଯାଇଥିବା ମଦ ଦୁର୍ନୀତିର ଖୁଲାସା ବି କରିବି। ସଞ୍ଜୟ ସିଂ କହିଛନ୍ତି ଯେ, “ଜଣେ ବ୍ୟକ୍ତି ଅଛନ୍ତି, ମଙ୍ଗୋଟା ରେଡ୍ଡୀ, ଯିଏ ୩ଟି ବୟାନ ଦେଇଛନ୍ତି । ସେହିପରି ତାଙ୍କ ପୁଅ ରାଘବ ମଙ୍ଗୋଟା ୭ ଟି ବୟାନ ଦେଇଛନ୍ତି । ସେପ୍ଟେମ୍ବର ୧୬ରେ, ଯେତେବେଳେ ମଙ୍ଗୋଟା ରେଡ୍ଡୀଙ୍କୁ ପ୍ରଥମ ଥର ଇଡି ପଚାରିଥିଲା ଯେ କଣ ତୁମେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାଣିଛ? ସେତେବେଳେ ସେ ସତ କହିଥିଲେ । ସେ କହିଥିଲେ ଯେ, ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । କିନ୍ତୁ ଚାରିଟେବୁଲ ଟ୍ରଷ୍ଟ ଜମି ମାମଲାରେ ତାଙ୍କ ପୁଅକୁ ଗିରଫ କରାଯାଇ ୫ମାସ ଜେଲରେ ରହିବା ପରେ ତାଙ୍କ ପିତା ତାଙ୍କ ବୟାନ ବଦଳେଇଥିଲେ ।

ସିଂ କହିଛନ୍ତି ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମଙ୍ଗୋଟା ରେଡ୍ଡୀଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଛି । ଜୁଲାଇ ୧୬ ରେ ସେ ଆମ ବିରୁଦ୍ଧରେ ଏକ ବୟାନ ଦେଇଥିଲେ । ତା’ପରେ ସେ ବିଜେପିର ଷଡଯନ୍ତ୍ରରେ ସାମିଲ ହେଲେ । ଏହା ପରେ ଅଚାନକ ୧୮ ଜୁଲାଇରେ ତାଙ୍କୁ ଜେଲରୁ ମୁକ୍ତି ମିଳିଗଲା । ତେବେ ଆମର ପ୍ରଶ୍ନ ଯେ, ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ କ’ଣ? ସେ ପିଏମ ମୋଦୀଙ୍କ ଫଟୋ ଦେଖାଇ କାହିଁକି ଭୋଟ୍ ମାଗୁଛନ୍ତି । ଟିଡିପି ତାଙ୍କୁ ଟିକେଟ୍ ଦେଇଛି, କିନ୍ତୁ ଟିଡିପି ଏନଡିଏରେ ସାମିଲ ହୋଇଛି ।

ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ସଞ୍ଜୟ ସିଂଙ୍କୁ ଗତ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ତିହାର ଜେଲରୁ ବାହାରିଥିଲେ। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ଇଡି ଗିରଫ କରିଥିଲା। ଏହି ମାମଲାରେ, ମାର୍ଚ୍ଚ ୨୧ରେ, ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ବର୍ତ୍ତମାନ କେଜ୍ରିୱାଲ ତିହାର ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି।

 

Comments are closed.