Latest Odisha News

ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ପରେ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି । ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ସିଦ୍ଧାର୍ଥ ଆସନ୍ତାକାଲି ଏପ୍ରିଲ ୨୦ ତାରିଖ (ଶନିବାର) ଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ପ୍ରଥମେ କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ବଡ ଠାକୁର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ସହିତ ସିଦ୍ଧାର୍ଥ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ସିଦ୍ଧାର୍ଥଙ୍କ ନାଁ ଘୋଷଣା ପରେ ସେ ଶନିବାର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ପାଇଁ କେନ୍ଦ୍ରାପଡା ଗସ୍ତ କରୁଛନ୍ତି । ଏଥିପାଇଁ ତାଙ୍କର ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେମ୍ର ପରିସୀମା ଆରମ୍ଭ ତଥା ପୀରବଜାର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସାଲେପୁର କଂଗ୍ରେସ ଭବନ, ନିଶ୍ଚିତକୋଇଲି, ଅସୁରେଶ୍ୱର, ଚାନ୍ଦୋଳ ବଜାର, ଦୁହୁରିଆ ଛକ, ତିନିମୁହାଣୀ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରରେ ପହଞ୍ଚିବ । ସେଠାରେ ପହଞ୍ଚିବା ପରେ ସିଦ୍ଧାର୍ଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ବଡ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଂସଦ ପ୍ରାର୍ଥୀ ଶ୍ରୀଦାଶ କେନ୍ଦ୍ରାପଡା ଜିଲ୍ଳା କଂଗ୍ରେସର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କୁ ଆରମ୍ଭ କରି ସମସ୍ତ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁ ଏବଂ ସାଧାରଣ ଜନତାଙ୍କ ସାହାଯ୍ୟ ସହଯୋଗ ସହ ଶୋଭାଯାତ୍ରାରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି । ବିଶେଷ କରି ଯୁବକମାନେ ଦେଶର ଭବିଷ୍ୟତ, ସୁରକ୍ଷା ଓ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

ତେବେ କେନ୍ଦ୍ରାପଡାରୁ କଂଗ୍ରେସ ସାଂସଦ ଟିକେଟ ପାଇବା ପରେ ସିଦ୍ଧାର୍ଥ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଜନମାନସର ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଓଡିଶା ପ୍ରଭାରୀ ଡ଼. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାଶ,ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଏବଂ କଂଗ୍ରେସ ର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Comments are closed.