ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୁକ୍ତିରାଣୀ ଦେବତା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ମୁକ୍ତିରାଣୀ ଦେବତାଙ୍କ ସହ ‘ଅଳ୍ପ ଆଳାପ’
ମୁଁ କାହିଁକି ଲେଖେ?
ସାହିତ୍ୟ ମୋତେ ଆତ୍ମୀୟ ପରି ପ୍ରତୀତ ହୁଏ। ଅନ୍ତର୍ମନର ସମସ୍ତ ଆବେଗ ସମୁହକୁ ବେଶ୍ ସ୍ବଚ୍ଛନ୍ଦ ଭାବେ କେବଳ ସାହିତ୍ୟ ମାଧ୍ୟମରେ ହିଁ ମୁଁ ପରିପ୍ରକାଶ କରିପାରେ। ସାହିତ୍ୟ ମୋର ସ୍ପନ୍ଦନ ଏବଂ ଜୀବନର ଗତିପଥ ଅଟେ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ବାଲ୍ୟାବସ୍ଥାରୁ ହିଁ ସାହିତ୍ୟ ପ୍ରତି ମୋର ଗଭୀର ରୁଚିବୋଧ ରହିଥିଲା। ଅନ୍ଯାନ୍ଯ ବିଷୟ ଅପେକ୍ଷା ସାହିତ୍ୟ ମୋତେ ଅଧିକତର ଆକର୍ଷିତ କରୁଥିଲା। ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ କଲେଜ ମାଗାଜିନ ନିମନ୍ତେ ମୁଁ ମୋର ପ୍ରଥମ କବିତାଟି ପଠାଇଥିଲି ଏବଂ ତାହା ପତ୍ରିକାରେ ମଧ୍ଯ ପ୍ରକାଶ ପାଇଥିଲା।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ମୋର ସର୍ବପ୍ରଥମ ପ୍ରକାଶିତ ରଚନାଟି ଥିଲା “ମାଆ” କବିତା। ଯାହାକି ମୁଁ ମୋର ମା’ଙ୍କ ପାଇଁ ଉତ୍ସର୍ଗ କରିଥିଲି। ମାଆର ଅପତ୍ୟ ସ୍ନେହ ଓ ଅନାବିଳ ମମତ୍ବବୋଧ ହିଁ ଏହି ଆଲେଖ୍ୟଟିକୁ ରଚନା କରିବା ନିମନ୍ତେ ମୋତେ ଅନୁପ୍ରେରିତ କରିଥିଲା।
ଗଳ୍ପ/ କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ?
ସାମ୍ପ୍ରତିକ ସମାଜର ନିଚ୍ଛକ ବାସ୍ତବତାକୁ ହିଁ ମୁଁ ମୋର ସୃଜନୀମାନଙ୍କରେ ସ୍ଥାନିତ କରିଥାଏ। ନାରୀ ସଶକ୍ତିକରଣ ତଥା ସମାଜରେ ସଙ୍ଗଠିତ ହେଉଥିବା ଅନ୍ୟାୟ ଅନୀତି ବିରୁଦ୍ଧରେ ମୁଁ ସଦାସର୍ବଦା ବିପ୍ଳବର ସ୍ବର ଉତ୍ତୋଳନ କରିଥାଏ। ସାମ୍ୟବାଦୀ ସମାଜ ଗଠନ ହିଁ ମୋ ଲେଖନୀର ପ୍ରମୁଖ ଆଭିମୁଖ୍ୟ।
7
ତାଙ୍କ ରଚନାରୁ କବିତା : ଶୈଶବ ସ୍ମୃତି
ଅଣଲେଉଟା ସେ ମଧୁର ସ୍ମୃତି
ହୃଦୟେ ସାଇତା ଅଭୁଲା ଗୀତି
ସୁଖମୟ ସେହି ଆନନ୍ଦ ବେଳ
ସାଙ୍ଗସାଥୀ ମେଳେ ଚାଲଇ ଖେଳ ।।
ଆମ୍ବତୋଟା ବିଲ ଗାଁର ନଈ
ଅନୁକୂଳ ସ୍ରୋତେ ଯାଏରେ ବହି
ଶୀତ ପ୍ରଭାତର ଉଷୁମ ଖରା
ପୁଷ୍କରିଣୀ ଜଳେ ଗଡ଼ିଶା ଧରା ।।
ଖଳାଦାଣ୍ଡେ ବସି ପଢ଼ଇ ପୋଥି
ଠାକୁମାଆ କୋଳେ ବିତଇ ରାତି
ଶ୍ରେଣୀକକ୍ଷ ଆହା ଦିଶଇ ପୂର୍ଣ୍ଣ
ସହପାଠୀ ସାଥେ ଶିଖଇ ବର୍ଣ୍ଣ ।।
ଗୁରୁଙ୍କର ସେହି ଆକଟ ବାଣୀ
ମାର୍ଗଦର୍ଶକ ଯେ ସାଜଇ ପୁଣି
ଯାନିଯାତ୍ରା ସାଥେ ପୁନେଇଁ ପର୍ବ
ଆମ ଗାଉଁଲିଙ୍କ ସାଜଇ ଗର୍ବ ।।
ଯାଇଛି ବଦଳି ଅତୀତ ଦିନ
ଅଭୁଲା ସ୍ମୃତିକୁ ଝୁରୁଛି ମନ
ଯାନ୍ତ୍ରିକ ସଭ୍ୟତା ନେଇଛି ମୋହି
ବାଲ୍ୟଚପଳତା ଜୀବନେ ନାହିଁ ।।
ଆଧୁନିକତାର ବଶ୍ୟରେ ନର
ପଲ୍ଲୀପ୍ରାଣତାରେ ନ ତୋଳେ ଘର
ଗ୍ରାମ୍ୟପ୍ରୀତି ସତେ ସାଜିଛି ମୃତ
ନିଷ୍ପାପ ମନଟି ହୋଇଛି ଧ୍ରୁତ ।।
Comments are closed.