Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଚକ୍ରଙ୍କ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚୂଡ଼ାରେ ଶୋଭା ପାଉଥିବା ନୀଳଚକ୍ରଙ୍କ ସ୍ୱରୂପ ଆମେ ଜାଣିଲେ । ଆଗରୁ ଆମେ ନୀଳଚକ୍ରଙ୍କୁ ଚକ୍ରନାରାୟଣ ହିସାବରେ ଜାଣିଛେ । ଏହି ନାରାୟଣଙ୍କ ସେବା ପାଇଁ “ଚୁନରା ସେବକ “ଅଛନ୍ତି, ଯେଉଁମାନେ ପ୍ରତିଦିନ ନିଜ ଇଷ୍ଟ ଶ୍ରୀ ଗରୁଡ଼ ମହାରାଜଙ୍କୁ ସ୍ମରଣ କରି ମାତ୍ର ୭ /୮ ମିନିଟ ଭିତରେ କୂର୍ମ ବେଢାରୁ ୧୮୧ ଫୁଟ ୮ ଇଞ୍ଚ ଉଚ୍ଚତାକୁ ଆରୋହଣ କରି ଧ୍ବଜା ବନ୍ଧା କାର୍ଯ୍ୟ କରିଥାନ୍ତି। ପ୍ରତି ଏକାଦଶୀରେ ମହାଦୀପ ଉଠାଇଥାନ୍ତି। ଏହି ସେବକମାନେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିର ଦଧିନଉତିରେ ଚୂନ ଓ ଗେରୁ ରଙ୍ଗ ଲଗାଇଥାନ୍ତି। ଏହି କାର୍ଯ୍ୟ ପାଇଁ ବୋଧହୁଏ ସେମାନଙ୍କୁ ଚୁନରା ସେବକ କୁହାଯାଏ। ପ୍ରତି ଏକାଦଶୀର ବିଳମ୍ବିତ ରାତ୍ରିରେ ମହାଦୀପ ଉଠେ। ଏହାକୁ ତିନି ଜଣ ସେବକ ନେଇଥାନ୍ତି ସେବକମାନେ ଏହି ଚନ୍ଦ୍ରଉଦିଆ ଦୀପ ଧରି ମନ୍ଦିର ଚୂଡ଼ାରେ ତିନି ଘେରା ବୁଲନ୍ତି। ନୀଳଚକ୍ରଙ୍କୁ ତୁଳସୀ ଓ ଚନ୍ଦନ ଲାଗି କରନ୍ତି। ପ୍ରତେକ ଦିଗରେ ୩ ଟି କରି ଦୀପ ଜାଳି ଉଚ୍ଚ ସ୍ୱରରେ ଗାଇଥାନ୍ତି , ହରି ବୋଲହେ, ହରିବୋଲ ହେ, ହରିବୋଲ ହେ “ମହାପ୍ରଭୁ ଶ୍ରୀ ଶ୍ରୀ ବୀର ଶ୍ରୀଗଜପତି ନବକୋଟି କର୍ଣ୍ଣାଟଉତ୍କଳ ବିରାଧିବୀର ବର, ଭୂତଭୈରବ ସାଧୁ ଶାସନୋତ୍ରିର୍ଣ ରାଉତରାଜ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟ କୂଳ ଧୂମକେତୁ ମହାରାଜାଧୀ ରାଜ (ନାମ )ଦିବ୍ୟସିଂହ ଦେବ ମହାରାଜ ଙ୍କୁ ଶଙ୍ଖେ ପୁରାଇ ଚକ୍ର ଆଢୁଆଳ କରିବା ପାଇଁ ଆଜ୍ଞା ହେଉ ହେ ମହାବାହୁ।” ପୁଣି ହରିବୋଲ ଧ୍ୱନି । ହରି ବୋଲ ହେ, ହରିବୋଲ ହେ ହରିବୋଲ ହେ –ମହାପ୍ରଭୁ ସଂସାର ସୁଖୀ ରହୁ ।

ତଳେ ଏହି ତରଙ୍ଗାୟିତ ଧ୍ୱନି ପହଞ୍ଚିବା ମାତ୍ରେ, ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରୁଥିବା ଭକ୍ତ ମାନେ ଗାଇଥାନ୍ତି “ଚକ୍ରଂ ଦୃଷ୍ଟl ହରେଦୃରାତ ପ୍ରାସାଦୋପରିସଂସ୍ଥିତମ, ସହସାମୁଚ୍ୟତେ ପାପାତ ନରୋ ଭକ୍ତ୍ୟା ପ୍ରଣମ୍ୟତାମ “ଆଉ ହରିବୋଲ, ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୁଏ। ଜଗତର ଦୁଃଖ ଦୂରୀଭୂତ ହୁଏ। ଆସନ୍ତୁ ଏବେ କରିବା ଆରାଧନା

 

“ଶବଦ ବ୍ରହ୍ମ ଥାଇ ଦୂରେ

ସେ ପୁଣି ବେଦ ଅନୁସାରେ

ନାନା ପ୍ରପଞ୍ଚ ଏ ଜଗତେ

ବିଧି ନିଷେଧ ବେନି ପଥେ

ଜଗତ ଭ୍ରମାଇ ଭ୍ରମଇ

ସେ ତାକୁ ତତ୍ୱେ ନ ଜlଣଇ

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.