Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏକ ‘ଫ୍ଲପ୍ ଶୋ’ – ବିଜେଡ଼ି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳ ହେବା ଲାଗି ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇନାହିଁ ତେଣୁ ଏହା ଏକ ଅସଫଳ ଯୋଜନା ଏବଂ ଏହି ଉଜ୍ଜଳା ଯୋଜନା ଏକ ପ୍ଲପ୍ ଶୋ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ।

ଭାରତୀୟ ଜନତା ପାର୍ଟି ନିକଟରେ ଦାବି କରିଛି ଯେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତର ୫କୋଟି ମହିଳାଙ୍କୁ ଏଲପିଜି ଗ୍ୟାସ ସଂଯୋଗ ଦିଆଯାଇଛି । ତଦ୍ଦ୍ୱାରା ଯେଉଁ ମହିଳାମାନେ ଚୁଲିରେ ରୋଷେଇ କରୁଥିଲେ ସେମାନେ ଧୂଆଁରୁ ରକ୍ଷା ପାଇ ସ୍ୱଚ୍ଛ ପରିବେଶ ମଧ୍ୟରେ ରୋଷେଇ କରିପାରିବେ । ଏହା ଏକ ସଫଳ ଯୋଜନା ବୋଲି ମଧ୍ୟ କେନ୍ଦ୍ର ସରକାର ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ମାରି ନିଜ ଢୋଲ ନିଜେ ପିଟୁଥିଲେ ।

ଆମେ ଅତୀତରେ ମଧ୍ୟ ଏହି ଯୋଜନା ଦେଶରେ କେତେ ସଫଳତା ହାସଲ କରିଛି, ସେ ବିଷୟରେ ପ୍ରଶ୍ନ କରିଥିଲୁ । ଯେଉଁ ମହିଳା ବା ହିତାଧିକାରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ, ପ୍ରକୃତରେ ସେମାନେ ଲାଭବାନ ହେଉଛନ୍ତି କି? କିନ୍ତୁ ମାନ୍ୟବର କେନ୍ଦ୍ର ତୈଳ ମନ୍ତ୍ରୀ କହିଥିଲେ ଯେ ଯଦି ଏ ପ୍ରଶ୍ନ ସଂସଦରେ ପଚରାଯାଏ, ତେବେ ଆମେ ତା’ର ଉତ୍ତର ଦେବୁ । ଏ ବିଷୟରେ ବାରମ୍ବାର ସଂସଦରେ ପ୍ରଶ୍ନ ଉଠାଯାଇଥିଲା, କିନ୍ତୁ କୌଣସି ଉତ୍ତର ମିଳିନଥିଲା ।

ଚଳିତ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୧୭୨୫ ନଂରେ ପଚରାଯାଇଥିଲା ଯେ ଓଡ଼ିଶାରେ କେତେଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆର୍ôଥକ ବର୍ଷ ୨୦୧୬-୧୭ ଏବଂ ୨୦୧୭-୧୮ରେ କେତେଜଣ ହିତାଧିକାରୀ ଦ୍ୱିତୀୟଥର ପାଇଁ ଗ୍ୟାସ ସିଲିଣ୍ଡର ଭରିଛନ୍ତି? ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ।

କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ତାଙ୍କ ଘରୋଇ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଆର୍ôଥକ ବର୍ଷ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ôଥକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ ନେଇଛନ୍ତି ଏବଂ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି । ଏଠାରେ ଦେଖାଯାଉଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି ବରଂ ବଢ଼ୁନାହିଁ । ଗଣମାଧ୍ୟମରେ ବିଜେପି ଏହି ଯୋଜନାକୁ ସଫଳ ଯୋଜନା ବୋଲି ପ୍ରଚାର କରୁଛି ଯାହା ବାସ୍ତବରେ ଭୁଲ ।

ଯଦି ହିତାଧିକାରୀ ରିଫିଲ ନେବା ପାଇଁ ଆସୁନାହିଁ, ପ୍ରକୃତପକ୍ଷେ ଏହି ଯୋଜନା ବିଫଳ ବୋଲି ଧରାଯିବ । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଯାହା ଜଣାପଡୁଛି, ହିତାଧିକାରୀ ଥରେ ଚୟନ ହେଲା ପରେ ସେ ଆଉ ଦ୍ୱିତୀୟଥର ପାଇଁ ରିଫିଲ ନେଉନାହିଁ । ସମୁଦାୟ ହିସାବକୁ ଦେଖିଲେ ସର୍ବାଧିକ ୨୫ରୁ ୩୦ ପ୍ରତିଶତ ହିତାଧିକାରୀ ରିଫିଲ ନେଉଛନ୍ତି, ବାକି ୭୦/୭୫ ପ୍ରତିଶତ ଲୋକ ନେଉନାହାନ୍ତି । ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଦ୍ୱିତୀୟ ରିଫିଲ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି । ସବସିଡି ଠିକ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରୀ ଯଦି ୫/୭ ମାସ ପରେ ତା’ର ସବସିଡି ଅର୍ଥ ପାଇବ, ତେବେ ସେ ପର୍ଯ୍ୟନ୍ତ କ’ଣ ବଜାର ଦର ଅନୁସାରେ ରିଫିଲ କିଣିବ?

ବିଜୁ ଜନତା ଦଳ ଆରମ୍ଭରୁ କହିଥିଲା ଯେ ଯେହେତୁ ଏହା ବ୍ୟାଙ୍କ ଏବଂ ଇଣ୍ଟରନେଟ ସହିତ ଜଡ଼ିତ, ତେଣୁ ଏହି କ୍ଷେତ୍ରକୁ ସୁଦୃଢ଼ କରାଯାଉ । ଏଠାରେ ପ୍ରମୁଖ କଥା ହେଲା, ହିତାଧିକାରୀ ଚୟନ । ଏହି ହିତାଧିକାରୀ ଚୟନକୁ ନେଇ ଅତୀତରେ ଅନେକ ତର୍କ ବିତର୍କ ସୃଷ୍ଟି ହୋଇଛି । ହିତାଧିକାରୀଙ୍କୁ ଚୟନ କରି କିଏ ବଣ୍ଟନ କରିବ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା । ସେତେବେଳେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ବଣ୍ଟନ କରା ଯିବ, କିନ୍ତୁ ସେଭଳି କରାଗଲା ନାହିଁ । ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା ବୋଲି ଏଥିରୁ ପ୍ରମାଣିତ ହୋଇଛି । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହିଁ ।

ଏଠାରେ ବିଜୁ ଜନତା ଦଳ ଆଶା ରଖୁଛି, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ବିଷୟରେ ସଠିକ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦେବେ ଯେ ବାସ୍ତବ ଚିତ୍ର କ’ଣ? ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏଭଳି ଯୋଜନାକୁ କେନ୍ଦ୍ର କରି ଯେଉଁ ବାତାବରଣ ସୃଷ୍ଟି କରିଛି, ଜନସାଧାରଣ ଠିକଣା ସ୍ଥାନରେ ତା’ର ଉଚିତ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.