କନ୍ଧମାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୁଲବାଣୀର ବିଜୟ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଲେ ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ ।
ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର । ଚାବି କୁଆଡ଼େ ଗଲା, ଏହା ଲୋକଙ୍କର ଜାଣିବା ଅଧିକାର ଅଛି । ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା । ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ, ରତ୍ନ ନେଉନଥିଲା ତ ଏହିଭଳି ସିଧାସଳଖ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ମୋଦି । ଫୁଲବାଣୀ ସଭାରେ ନବୀନଙ୍କୁ ନିଶାନା କରିଛନ୍ତି ମୋଦି । ମୋଦି କହିଛନ୍ତି ,ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି । ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଦେଇ ଓଡ଼ିଶାର ସବୁ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟ ନାଁ ଲେଖିବାକୁ କୁହାଯାଉ ।
‘ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି’ ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ? ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ ଓଡ଼ିଶାକୁ ୧ ନମ୍ବର କରିଦେବୁ । ମୋଦି କହିଛନ୍ତି ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା ? ଗୁଜରାଟରେ ଲୁଣ ଛଡ଼ା କିଛି ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସଂପଦ ଭରି ରହିଛି। ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହୋଇପାରିବ । ତେଣୁ ରାଜ୍ୟର ମାଟି ସହିତ ଯୋଡ଼ି ହୋଇ ରହିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। ମୋଦି ଆହୁରି କହିଛନ୍ତି, କଂଗ୍ରେସ ବାରମ୍ବାର ନିଜ ଦେଶକୁ ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି କହି ଡରାଉଛି । ଆଜି ପାକିସ୍ତାନର ଅବସ୍ଥା ଏମିତି ଯେ ଏବେ ସେ ବୋମା ବିକିବାକୁ ଚାହୁଁଛନ୍ତି । ଭୋଟବ୍ୟାଙ୍କ ପାଇଁ ଆତଙ୍କୀ ବିରୋଧରେ ପଦକ୍ଷେପ ବି ନେଉନଥିଲେ । କଂଗ୍ରେସ ଏବେ ବହୁତ ବୟାନବାଜି କରୁଛନ୍ତି । ୨୦୧୪-୧୯ରେ କଂଗ୍ରେସ ଦେଶବାସୀଙ୍କ ଆଗରେ ଯେଉଁ ସ୍କ୍ରିପ୍ଟ ପଢୁଥିଲା ୨୦୨୪ରେ ମଧ୍ୟ ସେହି ସ୍କ୍ରପ୍ଟ ପଢୁଛି । କଂଗ୍ରେସ ଏଭଳି ମନୋଭାବ ଯୋଗୁଁ ଏଥର ନିର୍ବାଚନରେ କଂଗ୍ରେସ ୫୦ ଆସନ ବି ଜିତିପାରିବନି । ୨୦୨୪ରେ କଂଗ୍ରେସ ବିରୋଧୀ ଦଳ ବି ରହିପାରିବିନି । ଏଥର ବିଜେପି ସବୁ ରେକର୍ଡ ଭାଙ୍ଗି ପୁଣି ଶାସନକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦୀ । ଆପଣଙ୍କ ଭୋଟ୍ ଏଠାରେ ବିଜେପି ଡବଲ ଇଂଜିନ ସରକାର କରିବ । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର ।
Comments are closed.