Latest Odisha News

ଜଗଦ୍ଦେବଙ୍କଠୁ ନେଇ ସୁଶାନ୍ତ ବେହେରା.. କାଠଗଡ଼ାରେ ପୋଲିସ ଏବଂ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭିମୁଖ୍ୟ ନିରପେକ୍ଷ ବୋଲି କହୁଯାଇପାରିବ ନାହିଁ ବୋଲି ବିରୋଧୀ ଦଳ ବିଜେପିର ନେତାମାନେ କହିଛନ୍ତି। ବେଗୁନିଆ ଏବଂ ଛେଣ୍ଡିପଦା ଘଟଣାକୁ ସାମ୍ନାକୁ ଆଣି ବିରୋଧୀ ବିଜେପି ବର୍ଷିଛି। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏପରି ଅଭିଯୋଗକୁ ଏକ୍ସରେ ପୋଷ୍ଟ କରି ଖଣ୍ଡନ କରିଛନ୍ତି।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭଙ୍ଗାଯିବା ଘଟଣାରେ ଜେଲ୍ ଯାଇଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ଦଫା ଲାଗିଛି। ପୋଲିସ ଏହି ମାମଲା ଶାସକ ଦଳର ଇସାରାରେ କରୁଛି। ଏପରି ଅଭିଯୋଗ ଆଣିଛି ବିଜେପି। ଏପରିକି ପ୍ରଶାନ୍ତଙ୍କ ଡ୍ରାଇଭରଙ୍କୁ ନେଇ ପୋଲିସ ଧମକ ଦେବା ସହ ତାଙ୍କ ବିରୋଧରେ ବୟାନ ଦେବାକୁ ଚାପ ପକାଉଥିବାର ଅଭିଯୋଗ ରହିଛି। ଯାହାର ଏକ ଅଡିଓ କଲ ରେକର୍ଡ ମଧ୍ୟ ବିଜେପି ପକ୍ଷରୁ ସାର୍ବଜନୀନ କରାଯାଇଛି।

ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ପକ୍ଷପାତିତା କରୁଛନ୍ତି। ବିନା ସିସିଟିଭି ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ଏହାପରେ ରାଜ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏକ୍ସରେ ଏକ ପୋଷ୍ଟ କରାଯାଇ ଏ ପ୍ରକାର ଅଭିଯୋଗକୁ ଖଣ୍ଡନ କରାଯାଇଛି।

ଏହାରି ଭିତରେ ଗତ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନୁଗୁଳ ଜିଲ୍ଲା କୋଶଳା ପଞ୍ଚାୟତର ସିମିଲି ସାହିର ୮୪ ନମ୍ବର ବୁଥ୍ ରେ ବିଜେପି କର୍ମୀଙ୍କ ସମେତ ଭୋଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଜେଡି ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀ ସୁଶାନ୍ତ କୁମାର ବେହେରାଙ୍କ ବିରୋଧରେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଗୋପାଳପୁର ବିଧାୟକ ପ୍ରଶ୍ନ କରିଛନ୍ତି। ଆକ୍ରମଣର ଭିଡିଓ ଫୁଟେଜ ସାର୍ବଜନୀନ ହୋଇସାରିଛି। ଯେଉଁଥିରେ ସବୁକିଛି ସ୍ପଷ୍ଟ ରହିଛି। ହେଲେ ପୋଲିସ କି ରାଜ୍ୟ ନିର୍ବାଚନ ଅଧିକାରୀ ଏ ବାବଦରେ ତ୍ୱରିତ କାର୍ଯ୍ଯାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ଅନୁଗୁଳ ଜିଲ୍ଲାପାଳଙ୍କୁ ଭିଡିଓ ଫୁଟେଜ ଆଧାରରେ ତଦନ୍ତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇସାରିଛନ୍ତି।

ଏହାକୁ ନେଇ ବିଜେପି ନେତା ତଥା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଡି ଏସ କୁଟେଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରିଜାଇଡ଼ିଂ ଅଫିସରଙ୍କୁ ଚାପ ପକାଇ ବୟାନ ନିଆଯାଇଛି। ସେହିଭଳି ବିଭିନ୍ନ ଲୋକଙ୍କ ବୟାନ ପାଇଁ ପୋଲିସ ଚାପ ପକାଉଛି। ସିସିଟିଭି ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ କାହିଁକି ସାର୍ବଜନୀନ କରୁନି ପୋଲିସ ବୋଲି ସେ ପ୍ରଶ୍ନ କରିଛନ୍ତି। ଆସନ୍ତା କାଲି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସଙ୍କ ବିରୁଦ୍ଧରେ ପୋଲିସ ନିୟମ ଭାଙ୍ଗିବା ଅଭିଯୋଗରେ କମ୍ପାଲେନ୍ କେସ କରିବ ଦଳ ବୋଲି ପୀତାମ୍ବର କହିଛନ୍ତି।

Comments are closed.