Latest Odisha News

ଆରମ୍ଭ ହେଲା ଭୋଟ ଗଣନା, ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପ୍ରକାଶ କରିଛନ୍ତି। ସେହିପରି ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।

ପ୍ରତି ଆସନ ପାଇଁ ୧୪ଟି ଟେବୁଲରେ ଗଣତି । ୧୮ରୁ ୧୯ ରାଉଣ୍ଡ ଗଣତି ହେବ। ଭୋଟ ଗଣତିର ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ଇସିଆଇ ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ।

ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ମୋଟ ୩,୫୮୯ ଟେବୁଲରେ ଭୋଟ ଗଣନା ହେବ। ଭୋଟ ଗଣନା ସକାଶେ ବିଧାନସଭା ପାଇଁ ୧,୭୯୯ ଏବଂ ଲୋକ ସଭା ପାଇଁ ୧,୭୯୦ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ଭୋଟ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି।

ସେହିିପରି ଲୋକସଭା ତଥା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪-ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍‌ଓ ଗ୍ରହଣ କରିଥିବା ବାଲଟ୍‌ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବାର ୩୦ ମିନିଟ ପରେ ଇଭିଏମ୍‌ ଭୋଟ ଗଣନା ଆରମ୍ଭ ହେବ।

Comments are closed.