Latest Odisha News

ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ

ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ କ୍ୟାବିନେଟ । ବିଧାନସଭାରେ ବଦଳିବ କିଛି ବିଧାୟକଙ୍କ ଚୌକି । ପୁଣି କିଛି ପୁରୁଣା ବିଧାୟକ କରିବେ ରି-ଏଣ୍ଟ୍ରି ।

ତେବେ କ’ଣ ଆପଣ ଜାଣନ୍ତି ଏଥର ବିଧାନସଭା ସଦନରେ ବସୁଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୧୦୭ ଜଣ କୋଟିପତି । ଶୁକ୍ରବାର ପ୍ରକାଶିତ ଏଡିଆର୍ ରିପୋର୍ଟରେ କିଛି ଏମିତି ତଥ୍ୟ ସାମ୍ନାକୁ ଆସଛି । ଚଳିତଥର ୪୩ ବିଧାୟକ ନିଜର ଗାଦି ସମ୍ଭାଳି ପୁନର୍ବାର ନିର୍ବାଚିତ ହୋଇଛନ୍ତି । ୨୦୧୯ରେ ସେମାନଙ୍କ ପାଖରେ ହାରାହାରି ସମ୍ପତ୍ତି ୨.୨୩ କୋଟି ଥିଲା । ବର୍ତ୍ତମାନ ଏମାନଙ୍କ ସମ୍ପତ୍ତିର ଗ୍ରାଫ୍ ୪.୪୮ କୋଟି ଛୁଇଁଛି । ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ୫ ବର୍ଷ ଭିତରେ ୧୯ କୋଟି ଟଙ୍କା ଅଧିକ ସମ୍ପତ୍ତିର ମାଲିକ ହୋଇଛନ୍ତି। ବିଜେଡିର ପ୍ରତାପ କେଶରୀ ଦେବଙ୍କ ସମ୍ପତ୍ତି ୧୫ କୋଟିରୁ ବଢ଼ି ୨୧ କୋଟିରେ ପହଞ୍ଚିଛି । ସେହିପରି ସୁଶାନ୍ତ ସିଂଙ୍କର ସମ୍ପତ୍ତି ୫ ବର୍ଷରେ ବଢି ୭ କୋଟି ଟଙ୍କାରେ ପହଞ୍ଚିଛି ।

ତେବେ ଚଳିତ ନିର୍ବାଚନରେ ବିଜେପିର ୫୨ ଜଣ ଓ ବିଜେଡିର ୪୩ ଜଣ ବିଧାୟକ କୋଟିପତି ତାଲିକାରେ ଅଛନ୍ତି । କଂଗ୍ରେସର ୧୪ ରୁ ୯ ଜଣ କୋଟିପତି ତାଲିକାରେ ଅନ୍ତର୍ଭୁକ୍ତ। ସ୍ୱାଧୀନ ଭାବେ ଜିତିଥିବା ୩ ଜଣ ବିଧାୟକ ମଧ୍ୟ ୧ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଧନୀ ବିଧାୟକ ହେଉଛନ୍ତି ଚମ୍ପୁଆର ବିଜେଡିର ବିଧାୟକ ସନାତନ ମହାକୁଡ଼ । ତାଙ୍କ ପାଖରେ ପାଖାପାଖି ୨୨୭ କୋଟି ଟଙ୍କାର ସମ୍ପତ୍ତି ରହିଛି । ତା’ ପଛକୁ ଧନୀ ତାଲିକାରେ ବାଲେଶ୍ୱରର ବିଜେଡିର ବିଧାୟକ ସୁବାସିନୀ ଜେନା ଓ ବଲାଙ୍ଗିରର ବିଜେଡିର ବିଧାୟକ କଳିକେଶ ସିଂଦେଓଙ୍କ ନାଁ ଅଛି ।

ସେହିପରି ବାଙ୍ଗିରପୋଷିର ବିଜେପି ପ୍ରାର୍ଥୀ ସଞ୍ଜଳି ମୁର୍ମୁ ସବୁଠୁ ଗରିବ ବିଧାୟକ । ତାଙ୍କ ପାଖରେ ମାତ୍ର ୩୫ ହଜାର ଟଙ୍କା ରହିଛି । କଂଗ୍ରେସର ୨ ପ୍ରାର୍ଥୀ ଚିତ୍ରକୋଣ୍ଡାର ମଙ୍ଗୁ ଖିଲା ଦେଢ଼ ଲକ୍ଷ ଟଙ୍କା ଓ ଲକ୍ଷ୍ମୀପୁରର ପବିତ୍ର ସନ୍ତ ମାତ୍ର ୩ ଲକ୍ଷ ଟଙ୍କାର ମାଲିକ ସହ ଗରିବ ବିଧାୟକ ତାଲିକାରେ ଅନ୍ତର୍ଭୁକ୍ତ ।

୨୦୦୯ ନିର୍ବାଚନରେ ୧୪୭ ଜଣ ବିଧାୟକଙ୍କ ପାଖରେ ହାରାହାରି ସମ୍ପତ୍ତି ପରିମାଣ ୧.୭ କୋଟି ରହିଥିଲେ ବେଳେ ଏଥର ନିର୍ବାଚିତ ବିଧାୟକଙ୍କ ହାରାହାରି ସମ୍ପତ୍ତି ୭.୩ କୋଟି ଛୁଇଁଛି । ୨୦୦୯ ନିର୍ବାଚନରେ ୩୩ ଜଣ କୋଟିପତି ବିଧାୟକ ନବବିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ୭୮ ଜଣ ଓ ୨୦୧୯ରେ ୯୫ଜଣ କୋଟିପତି ବିଧାନସଭା ଗାଦି ହାତେଇଥିଲେ । ଆଉ ଏଥର ପୁରା ରେକର୍ଡ ପାର, ଏଥର ୧୦୭ କୋଟିପତି ବିଧାୟକଙ୍କୁ ବିଧାୟକ ଭାବେ ଚୟନ କରିଛନ୍ତି ଓଡିଶାବାସୀ ।

Comments are closed.