Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ଟ୍ରେନ୍ ଧାଉଁଚି ଷ୍ଟେସନ୍ ଆଡ଼କୁ, ପୁଣି ଛାଡ଼ିଯାଉଛି ଆଉ ଏକ ନୂଆ ଷ୍ଟେସନ୍‌ରେ ପହଞ୍ôଚବା ଆଗ୍ରହରେ ଦ୍ରୁତଗାମୀ ହୋଉଛି ପୁଣି ଆଉ ଏକ ଟ୍ରେନ୍‌… ।

କୋଳାହଳ-ବ୍ୟସ୍ତତା, ବିବ୍ରତ ଭିତରେ ଆପଣା ରାସ୍ତାରେ କିଛି ହୁଇସିଲ୍‌ର ଶବ୍ଦ, ଧୂଆଁ… ଘୋରା ଏଇ ଷ୍ଟେସନ୍‌ରେ ସେ ଆଜି ଅପରିଚିତ ପରି ଜୀବନ ଜୀଏଁ ।କାହାସହ ବେଶୀ କଥାବାର୍ତ୍ତା କରେନି । ପ୍ରାୟ ଶୁଣେ । ଦିନେ ଶୁଭକାନ୍ତ କହିଥିଲା ଏଇ କଥା- ସମୟ ସବୁ ପରିବର୍ତ୍ତନ କରିଦିଏ । ସବୁବଦଳାଇ ନିଏ ସମୟ,
ସବୁ ରୂପରଂଗ… ଖାଲି ଧର୍ଯ୍ୟଧରିବା ଉଚିତ୍ ।

ଜୀଇଁବାର ନିୟତଯୁଦ୍ଧରେ ସବୁ ହାରିବା ଜିତିବା, ମାନ ଅପମାନ, ଅଭିମାନ, ଅଭିଯୋଗ, ଶାପ ଅଭିଶାପ ପ୍ରାର୍ଥନା ବି ବନ୍ଦୀ ହୋଇଯାଏ ଜୀବନପାଖରେ, ମଣିଷ ଖୋଜେ ମୁଠାଏ ଖୁସି । ମାତ୍ର ଏହି ମୁଠାଏ ଖୁସି ଟିକକ ଥାଏ କେଉଁଠି? ଆଶ୍ୱସନାର ଫର୍ଦ୍ଦଭିତରେ ନା ମଣିଷର ହସିଲା ମୁହଁ ଭିତରେ? ନା ବିଶ୍ୱାସର
ଭଙ୍ଗାଦରଜା ପାଖରେ? ନା ଈଶ୍ୱରଙ୍କ ବ୍ୟବସ୍ଥିତ ସ୍ଥାନରେ?? କେଉଁଠି ଥାଏ?

ଈଶ୍ୱର ଖୋଜୁଥିଲା… ନିଜକୁ । ଖୋଜିବୁଲୁଥିଲା ଜୀବନର ମୁଠାଏ ବିଶ୍ୱାସ ଭରା ଖୁସି ପାଇଁ!
ମୁହଁ ପୋଛୁ ପୋଛୁ ଈଶ୍ୱର ଅନେଇଲା ଉଦାସୀ ଭାବେ ଆକାଶକୁ । କାହିଁକି ଏମିତି ହୁଏ ଗୋଟେ ଉଦାସୀ ପ୍ରହର ମନ, ପାଟି, ଦେହ ସବୁକୁ କାହିଁକି ଗ୍ରାସ କରିଯାଏ । ଲୁଚାଇ ରଖିଥିବା ଖଇନିରୁ ଚିମୁଟା ଟାଏ ପାଟିରେ ପକାଇଲା । ଝିମ୍‌ଝମ୍ କରିଉଠିଲା ଜିଭ, ଅଭ୍ୟାସ ନାହିଁ ମାତ୍ର କେବେ କେବେ ଖାଇବାକୁ
ଭଲଲାଗେ ।

ସେ ପୁଣି ଫେରି ଆସିଲା ପୂର୍ବ ବେଞ୍ଚକୁ । ସେ ବେଞ୍ଚରେ ଶୋଇବାକୁ ଚାହୁଁଥିଲା ମାତ୍ର ଶୋଇ ପାରିଲା ନାହିଁ । ଆଜିକାଲି ଅନେକ କଥା କରିହେଉନଥିଲା ଚାହିଁବା ପରି । ଯେମିତି ସେ ଆଉ ସିଟି ବଜାଇ ପାରୁନଥିଲା । ସୁନ୍ଦରୀ ଝିଅ ଆଡ଼କୁ ଚାହିଁପାରୁନଥିଲା । ଜହ୍ନକୁ ଲୁଚକାଳି ଖେଳୁନଥିଲା ପୋଖରୀ ଭିତରେ । ଧୂ-ଧୂ ଖରାବେଳେ ଯାଉନଥିଲା ନଦୀ କୂଳକୁ । କାହାର ମିଠାଚୁମାର ଆକର୍ଷଣରେ ବିହ୍ୱଳିତ ହେଉନଥିଲା ରାତିରାତି । ଗୋଟେ ଉଦାସୀ ବିଷାଦ ତାକୁ କୋଳାଗ୍ରତ କରିସାରିଥିଲା । ସେ ସବୁଯେମିତି ଛାଡ଼ି ଆସିଛି । ଅନେକ ସଂଭାବନା, ଅନେକ ପ୍ରତିଶ୍ରୁତିକୁ ପଛକରି । ଗୋଡ଼କୁ ଟିକେ ତଳକୁ ଖସାଇ ପିଠିକୁ ବେଞ୍ଚ ପିଠିରେ ଜଡ଼ାଇ କରି ବସିଲା । ଆଜି ତାକୁ ଅନେକ କଥା ଘାରୁଥିଲା । ସେ ବିବ୍ରତ ହୋଇଗଲା । ସବୁକିଛି ଶୂନ୍ୟ ଓ ଖାଁ… ଖାଁ… । ତାକୁ ଏ ନିର୍ଜନତା ଗୋଡ଼ାଏ । ସେ ପଳାଇ ଆସେ ଅଜଣାଯାଗାକୁ । କୋଳାହଳପୂର୍ଣ୍ଣ ଜାଗାକୁ । ଯେଉଁଠି ଅନ୍ତତଃ ଅନେକ ଲୋକଥିବେ । ଯେଉଁଠି ଗହଳି ଭିତରେ ସେ ଏକାଥାଏ । ହଜିଯିବାର ଭୟନଥାଏ ।

ସେ ଖୋଜିଥାଏ ଆପଣାକୁ ନିଜଭିତରେ । ଏଇଠି ସେ କାନ୍ଦିଛି ଢେର… ଉପାସରେ ଶୋଇଛି । ରାତି ରାତି ପାଣିପିଇ ଜାଗା ଅଭାବରୁ । ଏଇ ଷ୍ଟେସନ୍‌ରୁ ଆରମ୍ଭ ତା’ ଜୀବନର ନୂଆ ଅଧ୍ୟାୟ । ମନେପଡ଼େ ପ୍ରଥମଦିନ ଏଇ ସହରରେ… ।

ସେଦିନ ସକାଳର ଆକାଶରେ ଭର୍ତ୍ତିଥିଲା ଆଷାଢ଼ୀମେଘ । ଖୁନ୍ଧାଖୁନ୍ଧି ହୋଇ ଏଇଲେ ସତେକି ଦୁର୍‌ଦାର୍ ବର୍ଷିଯିବେ ବିନା ଦ୍ୱିଧାରେ । ମେଘଭିତରୁ ଲାଜେଇଝିଅର ମୁହଁପରି ଧିରେ ଧିରେ ଆସୁଥିବେ ଆଉ ଯାଉଥିଲେ ସୂର୍ଯ୍ୟଦେବତା । ଆକାଶରେ ଥିଲେ ପକ୍ଷୀଦଳ । ପ୍ରତିଟି ସକାଳ ଏକ ନୂଆ ଅଧ୍ୟାୟ…
ଏମିତି ଥିଲା ଅନୁଭବ । ସେଦିନ ସକାଳେ ସାନଭଉଣୀ ସିପ୍ରା ମାଟିକାନ୍ଥକୁ ଆଉଜି ବସିଥିଲା । କାଠଖମ୍ବକୁ ଆଉଜେଇ ବୋଉ ବସି ନାଉଡ଼ଙ୍କ କାଟୁଥିଲା ରାଇ କରିବାପାଇଁ ତାଙ୍କର ଧଡ଼ାକଡ଼ରୁ ଲମ୍ବିଯାଇଥିବା ମଥାନଯାଏ ନାଉକଖାରୁ ଡଙ୍କ । ଏଇ ଦୁର୍ବଳିଆ ଡଙ୍କକୁ ଆଶ୍ରାଦେବାକୁ ଆଉ କେଇଟା ଝାଟି ଦେଇଛି କାନ୍ଥକୁ ବୋଉ ।

ଏସବୁରେ ସେ ବେଶ୍ ପାରଙ୍ଗମ । ତା\’ ହାତ ତିଆରି ବଗିଚାରେ ଫୁଟେ ଫୁଲ ବିଭିନ୍ନ ରଂଗର । ଫଳେ ବିଭିନ୍ନ ପନିପରିବା ଯାହା ମେଣ୍ଟାଏ ଆମ ବର୍ଷର ସର୍ବାଧିକ ପରିବା ଖର୍ଚ୍ଚ ।

ଝରକା ଦେଇ ବିଛୁଡ଼ି ପଡ଼ିଥିଲା ଖରା । ଘର ଭିତରକୁ ପଶୁଥିଲା ଥଣ୍ଡାପବନ ତା\’ର ନିଦ ଭାଙ୍ଗୁନଥିଲା ଏଯାବତ । ସେ ଘୁଙ୍ଗୁଡ଼ିରେ କମ୍ପମାନ କରୁଥିଲା ଘର । ତାକୁ ଛାଡ଼ି ସମସ୍ତେ ଉଠିଗଲେଣି ଅନେକ ବେଳରୁ । ସେ ଆଇଟିକେ ଶୋଇବାର ଇଚ୍ଛାରେ ପୁରା ଶୋଇପଡ଼ିଥିଲା । ତା\’ ଦେହରୁ ଚାଦରଟାକୁ ଆଉ ଟିକେ ତଳକୁ ଟାଣି ନେବାବେଳକୁ ଚିରାଜାଗାରୁ ପାଦଆଙ୍ଗୁଠି ପଶି ଆହୁରି ଚିରି ହୋଇଗଲା । ବିରକ୍ତିରେ ମୁହଁ ଉଠାଇ ଅନାଇଲା ଖଟରୁ ଦେଖାଯାଉଥିବା ଅଗଣା ଆଡ଼େ । ମାତ୍ର ବେକଟେକି ଚାହିଁଲା ବୋଉ । ଗର୍ଜିଉଠି କହୁଥିଲା ନିକର୍ମା, ଅଳସୁଆ, ଅକର୍ମା ଘୋଡ଼ାମୁହାଁ ପୁଅ… କୂଳ ବୁଡ଼ିଲା ବେଳକୁ ଏମିତି କୁମ୍ଭକର୍ଣ୍ଣର
ଜନ୍ମ । ଆଜିକାଲି ଈଶ୍ୱରକୁ କେହି ପଚାରୁ ନଥିଲେ ଭଉଣି ଛଡ଼ା । ଗଲା ପାଞ୍ଚବର୍ଷ ଧରି ସେ ନିଇତି ରାତି ବାରଟାରେ ଶୁଏ । କେବେ କେବେ ଆହୁରି ଡେରିରେ ଫେରେ ଘରକୁ । ଘରକୁ ଫେରିଲାବେଳକୁ ସିପ୍ରାଛଡ଼ା କେହି ଚେଇଁ ନଥିବେ ତା’ ପାଇଁ ।

ସିପ୍ରା ତା’ଠାରୁ ସାନ ପାଞ୍ଚବର୍ଷ । ମାତ୍ର ଲାଗେ ସେ ତା\’ର ମା’ । ମା’ପରି ତାଗିଦ୍ କରିବ । ମା’ପରି ଯତ୍ନ ନେବ । ତା’ପାଇଁ ଖାଇବା ଗରମ କରିବ ନିଦରୁ ଉଠି । ତା’ପାଇଁ ପାଣି ଗରମ କରିବ ତା\’ ଲୁଗା ସଫା କରିବ । ଯାହା ବୋଉକୁ ବିଲକୁଲ ପସନ୍ଦ ନୁହେଁ । ଘରର ସବୁଠାରୁ ବେଶି ଗେଲବସର ନିକମ୍ମା ପୁଅ ମାମୁର ପୁଅ ତାରା ଏବେ ବାଙ୍ଗୋଲର୍‌ରେ କମ୍ପ୍ୟୁଟର ଇଂଜିନିୟର । ଯେ ଲକ୍ଷାଧିକ ଟଙ୍କାର ମାଲିକ । ଘରକୁ ଦଶରୁ କୋଡ଼ିଏ ହଜାର ପଠାଏ । ଘରର ଦାୟିତ୍ୱ ନିଏ । ତା ଭଉଣୀ ବାହାଘର ପାଇଁ ସୁନାକିଣେ । ଯାହା ପଇସାରେ ଗାଁରେ ଘର ତୋଳାଯାଉଛି, ବଡ଼ଭଉଣୀର ପୁଅପାଇଁ ସୁନାଚେନ ମଧ୍ୟ କିଣାହୋଇ ପାରିଛି ।
ମାତ୍ର ଈଶ୍ୱର ପାଇଁ ବୋଉ ବେକର ସୁନାଚେନ୍ ଯାଇଛି । ଏବେସିନା ପରିସ୍ଥିତି ବଦଳୁଛି ଧିରେ ଧିରେ । ଏମିତି ଗୋଟେ ସମୟଥିଲା ଯେତେବେଳେ ବୋଉକୁ ଉଧାରି କରିବାକୁ ପଡ଼ୁଥିଲା ପ୍ରତି ପୂଜାପର୍ବାଣି ଠାରୁ ସାମାନ୍ୟତମ ଅସୁବିଧାରେ । ବାପାଙ୍କ ଚାଷଛଡ଼ା ଅନ୍ୟ ରୋଜଗାର ପନ୍ଥା ନାହିଁ । ଘରେ ତିନିଟା ଛୁଆ । ରୋଗିଣା ବଡ଼ ଭାଇ ପାଇଁ ମାସମାସ ଡାକ୍ତରଖାନା ଧାଁଆନ୍ତି ବାପାମା’ । ଶ୍ୱାସ, ଜର ଥଣ୍ଡାରେ ଅଣନିଶ୍ୱାସୀ ହୋଇଯାଏ । ସେଇ ବେଳମାନଙ୍କରେ ଈଶ୍ୱରକୁ ଡରମାଡ଼େ ଭାଇକୁ ଦେଖିଲେ । ସେ ନିର୍ଜିବ ପରି ପଡ଼ି ରହେ ଖଟରେ । ଯେମିତି ତା\’ର ରକ୍ତ ନାହିଁ, ଜୀବନ ନାହିଁ । ଡୋଳାଗୁଡ଼ାକ ଶୋଥା ଶୋଥା ଥିବ ସବୁବେଳେ କମ୍ବଳ ଘୋଡ଼େଇ ହୋଇଥିବ ଆଉ ତା’ ଦେହରେ ରସୁଣ ମିଶା ଶୋରିଷ ତେଲ ଗରମକରି ଘସା ହେଉଥିବ । ବାଧ୍ୟହୋଇ ବୋଉ ନିଜର ଚେନ୍‌କୁ ବନ୍ଧାପକାଇଲା ମାତ୍ର ଆଉ କାଢ଼ିପାରିଲା ନାହିଁ । ଫଳରେ ସେ ଚେନ୍ ଗଲା । ଏଇ କଥା ସବୁବେଳେ କହେ ବୋଉ – “ତୋ’ ପାଇଁ ମୋ’ ଚେନ୍ ଗଲା, ମାତ୍ର ପୁଅ ବେକାର… କାମଦାମ ନାହିଁ ଠକଙ୍କର ମହାଗୁରୁ… ।

ପୁଅଜନ୍ମ ହେଲେ ଭାଗ୍ୟବାନ କହନ୍ତି ବାପାମା’ । କିନ୍ତୁ ପୁଅ ଯବାନ ହୋଇ ଯଦି ସଠିକ୍ ସମୟରେ ଦାୟିତ୍ୱ ନନିଏ ତ ?

କ୍ରମଶଃ

Comments are closed.