Latest Odisha News

ଚଣ୍ଡିଗଡ ସରକାରୀ ହସ୍ପିଟାଲ ସହ ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡିଗଡ: ରାଜଧାନୀ ଦିଲ୍ଲୀ ପରେ ଏବେ ଚଣ୍ଡିଗଡକୁ ମିଳିଲା ଧମକ । ଚଣ୍ଡିଗଡର ଏକ ସରକାରୀ ମେଣ୍ଟାଲ ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ଏନେଇ ମେଡିକାଲ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।

ଖବର ମୁତାବକ, ଆଜି ସକାଳୁ ଚଣ୍ଡିଗଡ ସରକାରୀ ହସ୍ପିଟାଲକୁ ଏକ ଇ-ମେଲ୍ ଆସିଥିଲା । ଏହି ମେଲ୍ ରେ ଲେଖାହୋଇଥିଲା ଯେ, ହସ୍ପିଟାଲରେ ବୋମା ରଖାହୋଇଛି । ଆଉ ଖୁବ ଶିଘ୍ର ଏହା ଫାଟିବ ଏବଂ ତୁମେ ସବୁ ମରିଯିବ । ଏହା ବ୍ୟତୀତ ଚଣ୍ଡିଗଡ ଏୟାରପୋର୍ଟକୁ ମଧ୍ୟ ବୋମାରେ ଉଡାଇ ଦେବାର ଧମକ ଉକ୍ତ ମେଲ୍ ରେ ଲେଖାହୋଇଥିଲା ।

ଏହି ମେଲ୍ ମିଳିବା ପରେ ହସ୍ପିଟାଲ ଓ ଆଖାପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଏହାପରେ ହସ୍ପିଟାଲ କର୍ତ୍ତୁପକ୍ଷ ଏହି ସୂଚନା ଚଣ୍ଡିଗଡ ପୋଲିସକୁ ଦେଇଥିଲେ । ଖବରପାଇ ପୋଲିସ ବମ ସ୍କାର୍ଡ, କ୍ରାଇମବ୍ରାଞ୍ଚ ସହିତ ହସ୍ପିଟାଲ ରେ ପହଞ୍ଚି ହସ୍ପିଟାଲ କୁ ଖାଲି କରିବା ସହ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଚଣ୍ଡିଗଡ଼ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିମାନବନ୍ଦରରେ ମଧ୍ୟ ତଦନ୍ତ ଚାଲିଛି ।

Comments are closed.