ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟ ଲକ୍ଷିମପୁର ଖେରୀ ଜିଲ୍ଳାରେ ରହିଛି ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର । ଯାହାର ନାମ ଦୁଧ୍ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ।ଏହାକୁ ଉତ୍ତରପ୍ରଦେଶର ଏକ ବଡ଼ ତଥା ସମୃଦ୍ଧ ଜୈବବିବିଧତା କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଏହା ମୁଖ୍ୟତଃ ବାଘ ଓ ବାରଶିଙ୍ଗାଙ୍କ ପାଇଁ ପ୍ରସିଦ୍ଧି ଲାଭ କରିପାରିଛି । ଏହି ଉଦ୍ୟାନଟି ଭାରତ ଓ ନେପାଳ ସୀମାକୁ ଲାଗି ପ୍ରାୟ ୪୯୦.୩ ବର୍ଗ କି.ମି.ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଉପରେ ଗଢ଼ିଉଠିଛି।
ଇତିହାସ ପୃଷ୍ଠାରେ:
୧୯୫୮ ମସିହାରେ ଏହା ବାରଶିଙ୍ଗାଙ୍କ ସୁରକ୍ଷା ନିମନ୍ତେ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରର ମାନ୍ୟତା ପାଇବା ସହିତ ୧୯୭୭ରେ ରାଷ୍ଟ୍ରୀୟ ଉଦ୍ୟାନର ପରିଚୟ ପାଇଥିଲା । ମାତ୍ର ପୁନର୍ବାର ୧୯୮୭ରେ ଏଠାରେ ‘ପ୍ରୋଜେକ୍ଟ ଟାଇଗର’ ଉପରେ ବିଶେଷ ଧ୍ୟାନ ଦିଆଯାଇ କ୍ରିଷ୍ଣାପୁର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ କତରନିଆଘାଟ ବନ୍ୟପ୍ରାଣୀ ଅଭୟାରଣ୍ୟର ମିଳିତ ସହଯୋଗରେ ଏହା ଦୁଧ୍ଓ୍ବା ଟାଇଗର ରିଜର୍ଭ ଭାବେ ସ୍ବତନ୍ତ୍ର ପରିଚୟ ପାଇଲା।
ଏଠାରେ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରା, ଜୁନ୍ରୁ ସେପ୍ଟେମ୍ବର ବର୍ଷା ଓ ଅକ୍ଟୋବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। ଖରାଦିନେ ଏଠାରେ କୁଆଡ଼େ ପ୍ରବଳ ଗରମ ହୋଇଥାଏ। ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବଢ଼ିଯାଏ। ସେହିପରି ବର୍ଷା ବି ଏଠାରେ ଭଲ ହୋଇଥାଏ। ତେଣୁ ଖରା ଓ ବର୍ଷା ସମୟକୁ ଛାଡ଼ି ବାକି ଦିନରେ ଏଠାକୁ ଗଲେ ବୁଲିବାକୁ ସହଜ ଓ ସୁବିଧା ହୋଇଥାଏ। କାରଣ ଅନ୍ୟ ସମୟରେ ଏଠାକାର ତାପମାତ୍ରା ୧୫ରୁ ୨୫ ଡିଗ୍ରୀ ସେଲ୍ସିୟସ୍ ଭିତରେ ରହିଥାଏ।
ପର୍ଯ୍ୟଟକ ମାନେ ଏହି ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍କରି ବାଘ ଓ ବାରଶିଙ୍ଗା ଏଠାରେ ଅଧିକ ଦେଖିବାକୁ ମିଳିଥାଏ। କୁହାଯାଏ, ସାରା ବିଶ୍ୱରେ ଯେତେ ବାରଶିଙ୍ଗା ଅଛନ୍ତି, ତନ୍ମଧ୍ୟରୁ ପ୍ରାୟ ଅଧା କେବଳ ଏହି ଦୁଧ୍ଓ୍ବା ଅଭୟାରଣ୍ୟରେ ହିଁ ଦେଖିବାକୁ ମିଳେ।
ସେହିପରି ଅନ୍ୟ ପ୍ରାଣୀଙ୍କ ଭିତରେ ଚିତାବାଘ, ଭାଲୁ, ସମ୍ବର, ଚିତ୍ରା ହରିଣ, ବୋବାଉଥିବା ହରିଣ, ନୀଳଗାଈ, ହେଟାବାଘ, ଜଙ୍ଗଲୀ ବିଲେଇ, ଚିତ୍ରା ବିଲେଇ, ନେଉଳ, ବିଲୁଆ, କୋକିଶିଆଳି, ଠେକୁଆ, ମାଙ୍କଡ଼ ଇତ୍ୟାଦି ବି ଏଠାରେ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ୩୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମଧ୍ୟ ମିଳିଥାଏ।
ଖାସ୍କରି ମୟୂର, ଧୂସର ରଙ୍ଗର ଏକପ୍ରକାର ଶିକାରୀ ପକ୍ଷୀ, ହରଡ଼ ଚଢ଼େଇ ପରି ଖାଇବାଯୋଗ୍ୟ କ୍ଷୁଦ୍ର ପକ୍ଷୀ, ଗେଣ୍ଡାଳିଆ ଜାତୀୟ ପକ୍ଷୀ, ଚାତକ ପକ୍ଷୀ, କର୍କଶ ରାବ କରୁଥିବା ରାତ୍ରିକାଳୀନ ପକ୍ଷୀ, ମାଛରଙ୍କା, ବୁଲ୍ବୁଲ୍, କାଠହଣା, ରଙ୍ଗିନ ପର ଥିବା କୁଆଜାତୀୟ ପକ୍ଷୀ, ଛଞ୍ଚାଣ, ଚିଲ, ଶାଗୁଣା ଇତ୍ୟାଦିଙ୍କୁ ପ୍ରାୟତଃ ପର୍ଯ୍ୟଟକ ଏଠାରେ ଦେଖିଥାନ୍ତି।
ଆଉ ଶୀତଦିନ ହେଲେ ଅନେକ ଭ୍ରମଣକାରୀ ପକ୍ଷୀଙ୍କର ବି ଏଠାରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ସୁଅ ଛୁଟେ। ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ଏକ ଜଳାଶୟରେ ବିଭିନ୍ନ ପ୍ରଜାତିର ରଙ୍ଗିନ ମାଛ ଦେଖିବାର ସୁଯୋଗ ମିଳିଥାଏ।
ତା’ଛଡ଼ା ଅଭୟାରଣ୍ୟ ଭିତରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି, ଯେଉଁଠାରେ ବହୁ ଔଷଧୀୟ ବୃକ୍ଷ ଥିବା ଦେଖାଯାଏ। ଏହାକୁ ଦେଖିବା ଓ ପରୀକ୍ଷା ନିରୀକ୍ଷା କରିବାକୁ ଅଧିକାଂଶ ସମୟରେ ବହୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସିଥାନ୍ତି। ଖାସ୍କରି ଏହି ଅଭୟାରଣ୍ୟ ପରିସରରେ ବହୁ ପରିମାଣରେ ଶାଳଗଛ ଦେଖିବାକୁ ମିଳିଥାଏ।
ଯିବେ କିପରି:
ଏହି ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଦୁଧ୍ଓ୍ବା ରେଲ୍ଓ୍ବେ ଷ୍ଟେସନ ହେଉଛି ଏଠାକାର ନିକଟତମ ରେଳଷ୍ଟେସନ, ଯାହା ଅଭୟାରଣ୍ୟଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ।
ସେହିପରି ଲକ୍ଷ୍ନୌସ୍ଥିତ ଚୌଧୁରୀ ଚରଣ ସିଂ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତେବେ ଉଭୟ ଷ୍ଟେସନ ଓ ବିମାନବନ୍ଦରଠାରୁ ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି।
Comments are closed.