Latest Odisha News

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରାଜା ସ୍ବାଇଁ

ଭୁବନେଶ୍ବର: ନୂଆ ସରକାରର କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ୮ ଥରର ବରିଷ୍ଠ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ ।  କାମଚଳା ବାଚସ୍ପତିର ଦାୟିତ୍ବ ଗ୍ରହଣ କରିବା ପରେ ଆଗାମୀ ଜୁନ୍ ୧୭ ଓ ୧୮ ତାରିଖରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ରାଜା ସ୍ବାଇଁ । ଏହା ପରେ ଜୁନ୍ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ ।

ଗୁରୁବାର ନୂଆ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇନଥିବା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରୋ-ଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ୮ ଥର ବିଧାୟକ ଥିବା ରାଜା ସ୍ୱାଇଁଙ୍କୁ ସପ୍ତଦଶ ବିଧାନସଭାର ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରିଛନ୍ତି। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ଶୁକ୍ରବାର ରାଜଭବନରେ କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି  । ଏହାପରେ ସେ ବିଧାୟକଙ୍କୁ ଶପଥ ପାଠ କରାଇବା ସହ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା ମଧ୍ୟ କରିବେ ।

ନୂଆ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜୁନ୍ ୨୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରଣପୁରର ବିଜେପି ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, କାମଚଳା ବାଚସ୍ପତିଙ୍କ ପାଇଁ କୋୗଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି କରାଯାଇଥାଏ । କାମଚଳା ବାଚସ୍ପତି ହେଉଛନ୍ତି ଅସ୍ଥାୟୀ ବାଚସ୍ପତି, ଯାହାଙ୍କୁ ରାଜ୍ୟ ବିଧାନସଭାଗୁଡ଼ିକରେ କାର୍ଯ୍ୟ ପରିଚାଳନା ପାଇଁ ସୀମିତ ସମୟ ପାଇଁ ନିଯୁକ୍ତ କରାଯାିଥାଏ। ସାଧାରଣତଃ ନୂଆ ବିଧାନସଭାର ପ୍ରଥମ ଅଧିବେଶନ ପାଇଁ କାମଚଳା ବାଚସ୍ପତି ନିର୍ବାଚିତ ହୁଅନ୍ତି, ଯେଉଁଠାରେ ବାଚସ୍ପତି ନିର୍ବାଚିତ ହୋଇନଥାନ୍ତି।

Comments are closed.