Latest Odisha News

BREAKING NEWS

ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ, ସପ୍ତାହକରେ ବାରିକେଡ କାମ ସରିବ: ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ସରିବ ମୁକୁଳା ଡ୍ରେନ୍‌ କାମ। ମାସକରେ ମୁକୁଳା ଡ୍ରେନ୍‌ ଉପରେ ପଡ଼ିବ ସ୍ଲାବ। ସପ୍ତାହକରେ ବାରିକେଡ କାମ ସରିବ। ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ।

ଭୁବନେଶ୍ବର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍‌ ରହିଛି। ବିଏମ୍‌ସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ୍‌ ଅଛି। ଏଥିରୁ ୨୭ କିଲୋମିଟର ମୁକୁଳା ଡ୍ରେନ୍‌ ରହିଛି। ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।

ସେହିପରି କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି ଏବଂ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍ । ସେ କହିଛନ୍ତି, ବ୍ୟାରିକେଡ୍‌ ପାଇଁ ୩୪ଟି ସ୍ଥାନ ଚିହ୍ନଟ କରାଯାଇଛି। ସପ୍ତାହକ ଭିତରେ ଏ ସବୁ ସ୍ଥାନରେ ବ୍ୟାରିକେଡ ଲାଗିବ।

ସୂଚନାଯୋଗ୍ୟ, ସପ୍ତାହ ପୂର୍ବେ ରାଜଧାନୀରେ ଅତି ପ୍ରବଳ ବର୍ଷା କାରଣରୁ ଡ୍ରେନଗୁଡିକ ଭରିଯାଇଥିଲା।  ଉକ୍ତ ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ୍କେ ରାଜେଶ ଓ ତାଙ୍କ ସାଙ୍ଗମାନେ  ଡ୍ରେନ୍‌ ପାଖରେ ଖେଳୁଥିବା ବେଳେ ବେଲୁନଟି ଡ୍ରେନରେ ପଡିଯାଇଥିଲା । ଯାହାକୁ ଆଣିବାକୁ ଯାଇ ଭାସି ଯାଇଥିଲେ ରାଜେଶ। ଯାହା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହିତ ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସହ ୩ ଦିନ ଭିତରେ ମୁକୁଳା ଥିବା ସବୁ ଡ୍ରେନକୁ କଭର୍‌ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.