Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଅନୁସାରେ ରାଷ୍ଟ୍ରପତି ଜୁଲାଇ ୬ ତାରିଖ ସଂଧ୍ୟାରେ ଜୟଦେବ ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ୭ ତାରିଖର ପୁରୀ ଗସ୍ତ କରି ଅପରାହ୍ନରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦର୍ଶନ କରିବେ। ୮ ତାରିଖ ସକାଳେ ରାଷ୍ଟ୍ରପତିଙ୍କର ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ୱାକ୍ କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ ତଥା ନୋ ପ୍ଲାଇଁ ଜୋନ ଭାବେ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାର କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଷ୍ଟ୍ରପତି ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ। ସେଦିନ ଅପରାହ୍ଣରେ ସେ ଭୁବନେଶ୍ୱର ମେଣ୍ଢାଶାଳ ହରିଡାମଡ଼ା ସ୍ଥିତ ଡିଭାଇନ୍‌ ରିଟ୍ରିଟ୍‌ ସେଣ୍ଟରରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ୯ ତାରିଖ ପୂର୍ବାହ୍ନରେ ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗଦାନ କରି ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Comments are closed.