ଭୁବନେଶ୍ଵର: ବିହାର ଓ ଓଡିଶା ଭଳି କିଛି ରାଜ୍ୟ କେନ୍ଦ୍ରଠାରେ ବହୁ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭାବେ ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । ଆର୍ଥିକ ଦୃଷ୍ଟିରୁ ପଛୁଆ ହୋଇଥିବାରୁ ବିହାର ଓ ଓଡିଶା କେନ୍ଦ୍ରଠାରେ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସିଛନ୍ତି । ଏହି ଦାବି ପଛରେ ରାଜନୈତିକ ଉଦ୍ଦେଶ୍ୟ ବି ରହିଥାଏ । ଏବେ ବିହାର ସରକାର ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ଏନଡିଏ ସରକାରଙ୍କଠାରେ ଦାବି ଉପସ୍ଥାପନ କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ସରକାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏକ ପ୍ରମୁଖ ଅଂଶୀଦାର ।
ମୋଦି ସରକାରର ସ୍ଥାୟିତ୍ୱ ନୀତୀଶଙ୍କ ସମର୍ଥନ ଉପରେ ନିର୍ଭର କରୁଛି । କିନ୍ତୁ ଏହାର କୌଣସି ଗ୍ୟାରେଂଟି ନାହିଁ ଯେ, ମୋଦି ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ତୁରନ୍ତ ରାଜି ହୋଇଯିବେ । ହଁ , ରାଜନୈତିକ ବାଧ୍ୟବାଧକତା ଦୃଷ୍ଟିରୁ ଯଦି ବି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳେ, ତାହା ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ଏହା ସହଜ ମନେ ହେଉନାହିଁ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଗଲେ ଯେ, ଗୋଟିଏ ରାଜ୍ୟର ସମସ୍ୟା ଆପଣାଛାଏଁ ଦୂର ହୋଇଯିବ ଓ ରାଜ୍ୟ ବିକାଶର ଶିଖରରେ ପହଂଚିଯିବ, ଏହି ଧାରଣା ରଖିବା ସଂପୂର୍ଣ୍ଣ ଅମୂଳକ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାପ୍ରାପ୍ତ ରାଜ୍ୟଙ୍କ ସଂଖ୍ୟା ହେଉଛି ୧୧ । ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ମିଜୋରାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମଣିପୁର, ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜାମ୍ମୁ ଓ କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାପ୍ରାପ୍ତ ଏସବୁ ରାଜ୍ୟ ପାହାଡିଆ ଅଂଚଳ ଓ ଆର୍ଥିକ ଅନଗ୍ରସର ରାଜ୍ୟ ଭାବେ ସବୁ ମାନଦଣ୍ଡ ପୂରଣ କରନ୍ତି ।
ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରାପ୍ତ ପାଇଁ ଦୁଇଟି ମାନକ ରହିଛି । ଗୋଟିଏ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ଓ ଅନ୍ୟଟି ଯୋଜନା କମିଶନଙ୍କ ମାନକ । ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ମାନକ ଅନୁସାରେ ଅଲଗା ଭୌଗଳିକ ସ୍ଥିତି ଏବଂ ଦୁର୍ଗମ ଅଂଚଳରେ ଥିବା ରାଜ୍ୟ, ଯାହାର କି ଅତି ଦୁର୍ବଳ ସମ୍ବଳ ଥିବ, ସେହି ରାଜ୍ୟ ହିଁ ପଛୁଆ ଭାବେ ବିବେବିତ ହେବ । ଯୋଜନା କମିଶନର ମାନକ ଅନୁସାରେ ନିମ୍ନ ଜନସଂଖ୍ୟା ଘନତ୍ୱ ସହ ପାହାଡି ଓ ଦୁର୍ଗମ କ୍ଷେତ୍ରରେ ଥିବା ରାଜ୍ୟ, ଯାହାର କି ବିତ୍ତୀୟ ବ୍ୟବସ୍ଥା ଦୁୁର୍ବଳ ଥିବା, ସେହି ରାଜ୍ୟ ପଛୁଆ ଓ ଅନଗ୍ରସର ବୋଲି ବିବେଚିତ ହେବ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାପ୍ରାପ୍ତ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସମ୍ବଳ ଆବଂଟନ କ୍ଷେତ୍ରରେ ଅତିରିକ୍ତ ଆର୍ଥିର ସହାୟତା ଦିଆଯାଏ । ଆର୍ଥିକ ଅସମାନତା ଓ ଆଂଚଳିକ ଅସନ୍ତୁଳନ ଦୂର ପାଇଁ ଏହି ସହାୟତା ଦିଆଯାଏ । ଏସବୁ ରାଜ୍ୟକୁ ୯୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ଓ ୧୦ ପ୍ରତିଶତ ସୁଧ ମୁକ୍ତ ଋଣ ମିଳିଥାଏ । ଏହାଛଡା ସ୍ୱତନ୍ତ୍ର ପାହ୍ୟା ମାନ୍ୟତାପ୍ରାପ୍ତ ରାଜ୍ୟଗୁଡିକୁ ଉତ୍ପାଦ ଶୁଳ୍କର ରିହାତି ଦିଆଯାଏ , ଯାହା ଦ୍ୱାରା କି ପୁଂଜି ନିବେଶ ହୋଇପାରିବ । ଏସବୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନଙ୍କୁ ପ୍ରୋତ୍ସାହନ ମିଳିଥାଏ ।
ସବୁ ପ୍ରକାର ସୁବିଧାସୁଯୋଗ ଓ ସହାୟତା ସତ୍ତ୍ୱେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାପ୍ରାପ୍ତ ରାଜ୍ୟଗୁଡିକର ସ୍ଥିତିରେ ଆଖିଦୃଶିଆ ଉନ୍ନତି ହୋଇନାହିଁ । ଏସବୁ ରାଜ୍ୟ ଶିଳ୍ପ ସମୃଦ୍ଧ ହୋଇପାରିନାହାନ୍ତି । ଆସାମ, ହିମାଚଲ ପ୍ରଦେଶ, ମଣିପୁର ତଥା ଜାମ୍ମୁ ଓ କାଶ୍ମୀର ସମେତ ସ୍ୱତନ୍ତ୍ର ମାନ୍ୟତାପ୍ରାପ୍ତ ଅନ୍ୟ ରାଜ୍ୟଗୁଡିକ ଉପରେ ଅଧିକ ଋଣ ବୋଝ ରହିଛି । ଅନେକ ପ୍ରଚେଷ୍ଟା ସତ୍ତତ୍ତ୍ୱ ତିନି ପାହାଡି ରାଜ୍ୟ ଜାମ୍ମୁ ଓ କାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଶିଳ୍ପର ଅଭିବୃଦ୍ଧି ହୋଇପାରିଲା ନାହିଁ । ଭିତ୍ତିଭୂମିର ବିକାଶ ହୋଇପାରିଲା ନାହିଁ । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଉଦାସୀନତା ଓ ଅନାଗ୍ରହ ପାଇଁ ଆର୍ଥିକ ପ୍ରଗତି ସନ୍ତୋଷନକ ବୋଲି ବି କହିହେବ ନାହିଁ । ଏଥିରୁ ସ୍ପଷ୍ଟ ଯେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଗରେ ଗୋଟିଏ ରାଜ୍ୟର ରାତାରାତି ଉନ୍ନତି ସମ୍ଭବ ହୋଇପାରିବ ନାହିଁ । ପ୍ରଥମେ ଦୁର୍ନୀତିମୁକ୍ତ ସୁଶାସନ ଓ ଏକ ସକ୍ରିୟ ପ୍ରଶାସନ ଉପରେ ପ୍ରାଥମିକତା ଦେବାକୁ ହେବ । ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ । ସମ୍ବଳର ସୁବିନିଯୋଗ କରିବାକୁ ପଡିବ । ଏ କ୍ଷେତ୍ରରେ ବିହାର ବେଶ୍ ପଛରେ ଥିବା ଜଣାପଡୁଛି । ୯ ଦିନ ମଧ୍ୟରେ ରାଜ୍ୟରେ ୬ଟି ପୋଲ ଭୁଶୁଡିବା ରାଜ୍ୟର ଦୁର୍ଦ୍ଦଶାକୁ ସୂଚିତ କରୁଛି ।
Comments are closed.