Latest Odisha News

ବିରୋଧୀଙ୍କ ଟାର୍ଗେଟ: କହିଲେ, ନବୀନଙ୍କ ଯୋଜନାରେ ରଙ୍ଗ ମାରି ଚଳିବ ବିଜେପି

ଭୁବନେଶ୍ବର: ସରକାର ବଦଳିବା ପରେ ପୂର୍ବ ସରକାରର ବିଭିନ୍ନ ସେବାର ରଙ୍ଗ ରୂପ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ମୋ ସରକାର ଠାରୁ ଆରମ୍ଭ କରି ମୋ ବସ୍, ଲକ୍ଷ୍ମୀ ବସ୍, ସ୍କୁଲ ପୋଷାକର ରଙ୍ଗ, ସବୁ କିଛି ବଦଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଗତ କିଛି ଦିନ ତଳେ କିଛି ଲକ୍ଷ୍ମୀ ବସର ରଙ୍ଗ ବଦଳାଯାଇ ସବୁଜରୁ ଗେରୁଆ କରାଯାଇଥିଲା । ଏହାର ନାଁ ମଧ୍ୟ ବଦଳାଯାଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ କରାଯାଇଥିଲା ।  ଯାହାକୁ ନେଇ ପୂରା ଖପ୍ପା ବିରୋଧୀ ବିଜେଡି । ଆଜି ଏହାକୁ ନେଇ ପୁଣି ସରକାରଙ୍କୁ ଘେରିଛି  ବିଜେଡି । ୫ ବର୍ଷ ବିଜେଡି ସରକାର ଯୋଜନାରେ କେବଳ ରଙ୍ଗ ମାରିବେ ନା ଜନତାଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା କରିବେ ନୂଆ ସରକାର ବୋଲି କହି ପ୍ରଶ୍ନ କରିଛି ବିଜେଡି  ।

ଏନେଇ ବିଜେଡି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ କହିଛନ୍ତି, ବିଜେପି ଖାଲି ପ୍ରତିଶ୍ରୁତି ଦେଇଥିଲା । ନୂଆ ଯୋଜନା ଓ ସେବା ଲୋକଙ୍କୁ ଯୋଗାଇ ଦେବ କହିଥିଲା ହେଲେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ନବୀନ ସରକାର ଯାହା କରିଥିଲେ ସେଥିରେ ଖାଲି ରଙ୍ଗ ବୋଳି ନିଜର ପ୍ରଚାର କରିବ ବିଜେପି । ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ଏବଂ ରଙ୍ଗ ପରିବର୍ତ୍ତନ କାହା ସ୍ବାର୍ଥରେ ବୋଲି ପଚାରିଲେ ଉତ୍ତର ନାହିଁ । ଏଭଳି ଅପଚେଷ୍ଟା କଲେ ସରକାର ସଫଳ ହେବେ ନାହିଁ । ଲୋକଙ୍କ ପାଇଁ କିଛି ନୂଆ କରି ତାଙ୍କ ଭରସା ଜିତନ୍ତୁ ବୋଲି କହିଛନ୍ତି ପ୍ରମିଳା । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ରତ୍ନ ଭଣ୍ଡାର ଖୋଲିବା ନେଇ ରାଜନୀତି କରୁଛି । ଯଦି ସରକାର ଦେଇଥିବା କଥା ନରଖନ୍ତି ତାହାଲେ ରାଜରାସ୍ତାକୁ ବିଜେଡି ଓହ୍ଲାଇବ ବୋଲି କହି ଚେତାଇ ଦେଇଛନ୍ତି ପ୍ରମିଳା ।

ସେହିପରି ବିଜେଡି ନେତା ଲୋପାମୁଦ୍ରା ବକ୍ସିପାତ୍ର ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ନୂତନ ସରକାର ଶାସନ ଭାର ନେବାର ମାସେ ପୁରିବ । ହେଲେ ଇସ୍ତାହାରରେ ଯେଉଁ ଲୋକଙ୍କ ପାଖକୁ ପହଞ୍ଚାଇବାର କଥା ଦେଇ ସରକାର କଲେ. ତାହା ଗୋଟେ ଵି କାମରେ କରିନାହାନ୍ତି । କାଲି ଯାହା ନବୀନ ସରକାରଙ୍କର ଯୋଜନା ହୋଇଥିଲା, ତାହାର ନାଁ ପରିବର୍ତ୍ତନ କରି ଚାଲିଲେ । ତାହାଲେ ନିଜ ଇସ୍ତାହାରରେ ଲେଖିଲେନି କି କେବଳ ଯୋଜନାର ନାଁ ଆଉ ରଙ୍ଗ ବଦଳାଇବୁ । ଏପରି କରି ବିଜେପି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିବ ନାହିଁ । ଆଗକୁ ପାଞ୍ଚ ବର୍ଷ ଲୋକଙ୍କ ପାଇଁ କାମ କରନ୍ତୁ, ତାହା କଲେ ବିଜେଡି ସହଯୋଗ କରିବ । ଯଦି ସେହିପରି ନ କରି ଖାଲି ଏପରି ରଙ୍ଗ ଓ ନାଁ ପରିବର୍ତନ କଲେ, ତାହାଲେ ବିଜେଡି ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ଲୋପାମୁଦ୍ରା ।

ତେବେ ଏନେଇ ଶାସକ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.