Latest Odisha News

ନେପାଳରେ ଭୂସ୍ଖଳନ: ନଦୀରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ

ନେପାଳ: ନେପାଳରେ ଭୁସ୍ଖଳନ ପରେ ବଡ଼ ଧରଣ ଅଘଟଣ। ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ୨ଟି ବସ୍‌ରେ ଡ୍ରାଇଭର ସହ ପାଖାପାଖି ୬୩ ଯାତ୍ରୀ ରହିଥିଲେ।

କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଏବେ ସୁଦ୍ଧା ୨ ବସ୍‌ର ମିଳୁନି ପତ୍ତା। ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ରହିଛି। ଏହି ଦୁର୍ଘଟଣା ଆଜି ସକାଳ ପ୍ରାୟ ୩.୩୦ ସମୟରେ ଘଟିଛି। ଚିତୱନ୍‌ର ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି ଯେ ଆମେ ଘଟଣା ସ୍ଥଳରେ ଅଛୁ ଏବଂ ସର୍ଚ୍ଚ ଅପରେସନ ଚାଲିଛି। ଲଗାତାର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଇନ୍ଦ୍ରଦେବ ଯାଦବଙ୍କ ଅନୁଯାୟୀ, ରାଜଧାନୀ କାଠମାଣ୍ଡୁ ଯାଉଥିବା ଏଞ୍ଜେଲ ବସ୍ ଏବଂ ଗଣପତି ଡିଲକ୍ସ ଆଜି ଭୋର ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପୋଲିସ କହିଛି ଯେ କାଠମାଣ୍ଡୁ ଯାଉଥିବା ବସ୍‌ରେ ୨୪ ଜଣ ଯାତ୍ରୀ ଏବଂ ଅନ୍ୟ ବସ୍‌ରେ ୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଗଣପତି ଡିଲକ୍ସରେ ଯାତ୍ରା କରୁଥିବା ତିନିଜଣ ଯାତ୍ରୀ ଗାଡିରୁ ଡେଇଁବାରେ ସଫଳ ହୋଇଥିଲେ।

ଉକ୍ତ ଘଟଣାରେ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଟ୍ୱିଟ୍ କରି କହିଛନ୍ତି ଯେ ନାରାୟଣଗଡ-ମୁଗଲିନ୍ ସଡକ ବିଭାଗରେ ଭୂସ୍ଖଳନରେ ଯାତ୍ରୀ ନିଖୋଜ ହୋଇଯିବା ଖବର ମୋତେ ଗଭୀର ଦୁଃଖିତ କରିଛି। ଭୂସ୍ଖଳନରେ ନିଖୋଜ ଯାତ୍ରୀମାନଙ୍କୁ ଖୋଜିବା ଏବଂ ସେମାନଙ୍କୁ ପ୍ରଭାବଶାଳୀ ଭାବରେ ଉଦ୍ଧାର କରିବା ପାଇଁ ମୁଁ ଦେଶର ବିଭିନ୍ନ ସ୍ଥାନରେ ଗୃହ ପ୍ରଶାସନ ସମେତ ସରକାରଙ୍କ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି। ଖୁବଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ ହେବ।

ପୋଲିସ ଅଧୀକ୍ଷକ ଭବଶ ରିମଲ କହିଛନ୍ତି ଯେ ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ଫୋର୍ସ କର୍ମଚାରୀ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଯାଉଛନ୍ତି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ନାରାୟଣଘାଟ-ମୁଗଲିଂ ସଡକ ବିଭାଗରେ ଯାତାୟାତରେ ବାଧା ସୃଷ୍ଟି କରିଛି।

Comments are closed.