Latest Odisha News

BREAKING NEWS

ଭାରତୀୟ ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ପ୍ରଦର୍ଶନୀ

ଅହମ୍ମଦାବାଦ: ଭାରତର ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ଓ ପରମ୍ପରାକୁ ଏକ ସୃଜନାତ୍ମକ ପରିଚୟ ଦେବା ନିମନ୍ତେ ଆଦାନୀ ଗ୍ରୂପ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିନବ ତଥା ନୂତନ ପ୍ରୟାସ । ପ୍ରାୟ ୫୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠର ଏକ ବିଶାଳ ଭୂଖଣ୍ଡ ଗଣ୍ଡୱାନା ଲାଣ୍ଡ କୌଣସି କାରଣବଶତଃ ୩ ଭାଗରେ ବିଭକ୍ତ ହୋଇ ଏସିଆ, ଆଫ୍ରିକା, ଓସିଆନା ଭୂଖଣ୍ଡ ସୃଷ୍ଟି ହେଲା ଏବଂ ଓସିଆନା ଭୂଖଣ୍ଡଟି ବହୁ ବର୍ଷ ସମୁଦ୍ରରେ ଭାସି ଭାସି ଏସିଆ ମହାଦେଶ ସହ ମିଶ୍ରିତ ହୋଇ ଭାରତ ଭୂଖଣ୍ଡ ଗଠନ ହେଲା ।

ମାନବ ସଭ୍ୟତା ସୃଷ୍ଟି ପୂର୍ବରୁ ଏହି ଭାରତ ଭୂଖଣ୍ଡ ସୃଷ୍ଟିର ରହସ୍ୟ ଏବଂ ସ୍ମୃତିକୁ ପ୍ରସ୍ତର ଖୋଦେଇ ପରିପୂର୍ଣ୍ଣ ବିଶିଷ୍ଟ କଳା ମାଧ୍ୟମରେ ନୂତନ ପରିଚୟ ଦେବାକୁ ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପଟ୍ଟଚିତ୍ରକର ଶ୍ରୀ ରାଜୀବ ସେଟ୍ଟୀ । ଏହି ପ୍ରୟାସରେ ସାମିଲ ହୋଇଛି ଆଦାନୀ ଗ୍ରୂପ । ଅହମ୍ମଦାବାଦ୍ସ୍ଥିତ ଆଦାନୀ ହାଉସ୍ଠାରେ ୪ ତାରିଖରେ ଏହି ଚିତ୍ରକଳାର ପ୍ରଦର୍ଶନୀ ହୋଇଥିଲା । ଏହିକ୍ରମରେ ଗଣ୍ଡୱାନା ଇଣ୍ଡିଆର ଜନଜାତି କଳାକାର ଏବଂ ଅଷ୍ଟ୍ରେଲିଆର ପ୍ରାଚୀନ ମୂଳନିବାସୀ କଳାକାର ମିଳିତ ଭାବେ ଏହି କଳାକୁ ଅଧିକ ପରିପୃଷ୍ଟ କରିବାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶର ପ୍ରାଚୀନ ଜନଜାତି ଗଣ୍ଡ୍ କଳାକାର ଭଜ୍ଜୁ ଶ୍ୟାମ ଓ ଅଷ୍ଟ୍ରେଲିଆର ୱାର୍ଲପିରି ସମ୍ପ୍ରଦାୟର କଳାକାର ଓଟୋ ଜୁଙ୍ଗରାଇ ସିମ୍ସ ଏବଂ ପ୍ୟାଟ୍ରିକ ଜାପାନଗାର୍ଦି ୱିଲିଅମ୍ ପ୍ରମୁଖଙ୍କୁ ଆଦାନୀ ପକ୍ଷରୁ ଆୟୋଜିତ ଏହି ମିଳିତ କଳା ପ୍ରଦର୍ଶନୀକୁ ଆମନ୍ତ୍ରଣ କରାଯାଇଥିଲା । ପ୍ରସ୍ତର ପୃଷ୍ଠରେ ବିନ୍ଦୁଗୁଡ଼ିକୁ ଛୋଟ ଛୋଟ ସରଳରେଖା ମାଧ୍ୟମରେ ସଂଯୋଗ କରି ଏହି କଳା ପ୍ରଦର୍ଶନ କରାଯାଇଥିଲା । ମୂଳନିବାସୀଙ୍କ ନିମନ୍ତେ ଏହି ବିନ୍ଦୁ, ସ୍ୱପ୍ନ ଦେଖିବା ଏବଂ ସୀମାକୁ ବୁଝାଉଥିବା ବେଳେ ଗଣ୍ଡ୍ ସମ୍ପ୍ରଦାୟଙ୍କ ନିମନ୍ତେ ଏହା ହେଉଛି ପ୍ରକୃତି ସହ ଆଧ୍ୟାତ୍ମିକ ମିଳନ ।

ଭଜ୍ଜୁ ଶ୍ୟାମ, ମଧ୍ୟପ୍ରଦେଶର ଗଣ୍ଡ୍ ସମ୍ପ୍ରଦାୟର ଗ୍ରାମ୍ୟ ମୁଖ୍ୟ ଏବଂ ତାଙ୍କର ଉକ୍ରୃଷ୍ଟ କଳା ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଅଛି । ଭଜ୍ଜୁ ଶ୍ୟାମ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିବା ସହିତ ବଣ, ଜଙ୍ଗଲ ପରିବେଶ ସହ ବେଶ ନିବିଡ଼ ଭାବେ ଜଡ଼ିତ ହୋଇଥିବା ବେଳେ ତାଙ୍କର ପ୍ରତିଟି କଳାରେ ପ୍ରକୃତିର ବାସ୍ନା ଏବଂ ଝଲକ୍ ଦେଖିବାକୁ ମିଳେ, ଯାହାକୁ ସେ ଗଣ୍ଡୱାନା କଳା ନାମରେ ନାମିତ କରିଛନ୍ତି । ଏହି ଅବସରରେ ଆଦାନୀ ଗ୍ରୂପର ଅଧ୍ୟକ୍ଷ ଗୌତମ ଆଦାନୀ କହିଥିଲେ ଯେ, ଇତିହାସ ହେଉଛି ଆକର୍ଷଣୀୟ କିନ୍ତୁ ଏହା କୌଣସି ଏକ ଜନଜାତି କଳା ମାଧ୍ୟମରେ ଅଧିକ ପରିପୃଷ୍ଟ ହୋଇପାରିବ ଏହା ଥିଲା ଆଶାତୀତ । ଏହି ସାଂସ୍କୃତିକ ଆଦାନପ୍ରଦାନ ଏହି ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ନିବିଡ଼ତାକୁ ଆହୁରି ପ୍ରଦର୍ଶିତ କରୁଛି ।

Leave A Reply

Your email address will not be published.