Latest Odisha News

ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ

ଭୁବନେଶ୍ଵର: ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ । ଫ୍ରାନ୍ସର ପ୍ୟାରିସଠାରେ ଚଳିତବର୍ଷ ହେବାକୁ ଥିବା ଅଲିମ୍ପିକ୍ସ ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି କିଟ୍‌ର ୧୨ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି କିଟ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ।

ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଖେଳାଳିମାନେ ହେଲେ ଅମିତ ରୋହିଦାସ, କିଶୋର କୁମାର ଜେନା, ପାରୁଲ ଚୌଧୁରୀ, ପ୍ରିୟଙ୍କା ଗୋସ୍ଵାମୀ, ଅନୁ ରାଣୀ, ଜ୍ୟୋତି ୟାରାଜି, ଜାତିନ୍ଦରପାଲ ସିଂହ ଟୁର, ଆଭା ଖଟୁଆ, ପ୍ରାଚୀ, ଅଙ୍କିତା ଧ୍ୟାନି, ପରମଜିତ ସିଂହ ବିସ୍ତ ଏବଂ ସୁରଜ ପନଓ୍ବାର। ଏମାନଙ୍କୁ ଶୁଭେଚ୍ଛା ଜଣେଇବା ସହ କିଟ୍‌ ଏବଂ କିସ୍‌ ଭାରତର ପ୍ରଥମ ଅନୁଷ୍ଠାନ ଯେଉଁଠାରୁ ସର୍ବାଧିକ ଛାତ୍ରଛାତ୍ରୀ ଅଲିମ୍ପିକ୍ସରେ ଭାଗନେବାରେ ଗୌରବ ଅର୍ଜନ କରିଛି। ବର୍ତ୍ତମାନ ସୁଦ୍ଧା ଏଠାରୁ ୨୦ ଜଣ କ୍ରୀଡ଼ାବିତ ଅଲିମ୍ପିକ୍ସରେ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଅର୍ଜୁନ ପୁରସ୍କାର ପାଇ ଗୌରବ ଆଣି ଦେଇଛନ୍ତି ବୋଲି କହିଛନ୍ତି ପ୍ରଫେସର ଅଚ୍ୟୁତ ସାମନ୍ତ ।

ସୂଚନାଯୋଗ୍ୟ ଯେ, ପ୍ୟାରିସରେ ୨୬ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜିତ ହେବ । ଅଲିମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବେ। ଦଳ ସହ ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ମିଶାଇ ୧୪୦ଜଣ ସାଧାରଣ ଅଧିକାରୀ ପ୍ୟାରିସ ଯାତ୍ରା କରିବେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଅଥଲେଟିକ୍ସ, ସୁଟିଂ, କୁସ୍ତି, ବକ୍ସିଂ, ଆର୍ଚେରି, ପୁରୁଷ ହକି, ବ୍ୟାଡମିଣ୍ଟନ, ଜୁଡୋ, ଟେନିସ, ଟେବୁଲ ଟେନିସ ତଥା ଭାରୋତ୍ତଳନ ଭଳି ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ।

Comments are closed.