Latest Odisha News

କମାଲ କରିପାରିବେ କି କମଲା ?   

ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରୋଚକ ହୋଇଛି ଆମେରିକାର ରାଜନୈତିକ ସ୍ଥିତି । ଦଳୀୟ ନେତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ହ୍ୱାଇଟ ହାଉସ ରେସରୁ ଓହରିଯାଇଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସମର୍ଥନ ଜଣାଇଛନ୍ତି ବାଇଡେନ୍।

ବାଇଡେନଙ୍କ ସମର୍ଥନ କ’ଣ କମଲା ହ୍ୟାରିସଙ୍କ ପାଇଁ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ହାସଲରେ ସହାୟକ ହେବ କି ?

ବାଇଡେନ୍ ହ୍ୱାଇଟ ହାଉସ ରେସରୁ ଓହରିବା ପରେ କମଲା ହ୍ୟାରିସଙ୍କୁ ଝଟକା ଲାଗିଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହ୍ୟାରିସଙ୍କୁ ତୁରନ୍ତ ସମର୍ଥନ ଘୋଷଣା କରିନାହାନ୍ତି । ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବାରାକ୍ ଓବାମା କମଲା ହ୍ୟାରିସଙ୍କ ରାଜନୈତିକ ଗୁରୁ ଭାବେ ଜଣାଶୁଣା । ଓବାମାଙ୍କ ସମର୍ଥନ ନମିଳିବା ହ୍ୟାରିସଙ୍କୁ ନିରାଶ କରିବ ନିଶ୍ଚିତ । ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଂଟନ ଓ ପୂର୍ବତନ ବୈଦେଶିକ ସଚିବ ହିଲାରି କ୍ଲିଂଟନ ତୁରନ୍ତ ହ୍ୟାରିସଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କିଛି ରାଜ୍ୟର ଡେମୋକ୍ରାଟ ଗଭର୍ଣ୍ଣର କମଲାଙ୍କୁ ଚ୍ୟାଲେଂଡ କରିବା ନେଇ ଚର୍ଚ୍ଚା ହେଉଛି ।

ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ଣ୍ଣ ସମର୍ଥନ ମିଳିବା କମଲା ହ୍ୟାରିସଙ୍କ ପାଇଁ ପ୍ରଥମ ବିଜୟ । ହୁଏତ ଡେମୋକ୍ରାଟିକ ପାର୍ଟିର ଅନେକ ସଦସ୍ୟ ବାଇଡେନଙ୍କ ପସନ୍ଦ କମଲାଙ୍କୁ ସମର୍ଥନ ଜଣାଇପାରନ୍ତି । ବର୍ତ୍ତମାନ କମଲା ହ୍ୟାରିସ ବାଇଡେନଙ୍କ ପରେ ଆମେରିକାର ଦ୍ୱିତୀୟ ସାମ୍ବିଧାନିକ ପଦରେ ଅଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଶାୟୀ ଜଣେ ଅଣଶ୍ୱେତାଙ୍ଗ ଓ ମହିଳାଙ୍କୁ ଉପେକ୍ଷା କରିବା ଡେମୋକ୍ରାଟିକ ପାର୍ଟି ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଆଜି ଯାଏଁ କୌଣସି ମହିଳା ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇନାହାନ୍ତି । କିଛି ଦିନ ପରେ ଚିକାଗୋରେ ହେବାକୁ ଥିବା ଡେମୋକ୍ରାଟିକ ପାର୍ଟିର ଜାତୀୟ ସମ୍ମିଳନୀରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଘୋଷଣା କରାଯିବ । ପଦାସୀନ ରାଷ୍ଟ୍ରପତି ବାଇଡେନଙ୍କ ପୂର୍ଣ୍ଣ ସମର୍ଥନ ହିଁ କମଲା ହ୍ୟାରିସଙ୍କୁ ଏବେ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଫ୍ରଂଟରନର କରିଛି ।

କମଲା ହ୍ୟାରିସଙ୍କ ପାଇଁ କିଛି ଚ୍ୟାଲେଂଜ ବି ରହିଛି । ଜନମତ ସର୍ବେକ୍ଷଣରେ କମଲାଙ୍କ ଆପ୍ରୁଭାଲ ରେଟିଂ ବାଇଡେନଙ୍କ ଭଳି କମ୍ ରହିଛି । ଉପରାଷ୍ଟ୍ରପତି ହେଲା ପରେ କମଲାଙ୍କୁ ମେକ୍ସିକୋରୁ ଅବୈଧ ଆଗମନ ରୋକିବାକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଏଥିରେ ବିଫଳ ହୋଇଥିଲେ । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଚେଷ୍ଟା କରିଥିଲେ କମଲା । କିନ୍ତୁ ଆରମ୍ଭରୁ ହିଁ ତାଙ୍କୁ ଦଳୀୟ ପ୍ରତିନିଧିଙ୍କ ସମର୍ଥନ ନମିଳିବାରୁ ରେସରୁ ଓହରି ଯାଇଥିଲେ ।

 

Comments are closed.