Latest Odisha News

BREAKING NEWS

ବଜେଟରେ ଛାନିଆ ନିବେଶକାରୀ: ବଢିଲା ଷ୍ଟକ ମାର୍କେଟ ଟିକସ

ନୂଆଦିଲ୍ଲୀ: ଆଜି ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ବଜେଟ୍ ଗରିବ, କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ତେବେ ଅନେକ କିଛି  କ୍ଷେତ୍ରରେ ଆଶ୍ବସ୍ତି ମିଳିଥିବା ବେଳେ ଏବେ ଷ୍ଟକ ମାର୍କେଟକୁ ମିଳିଛି ବଡ ଝଟକା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପୁଞ୍ଜି ଲାଭ ଉପରେ ଟିକସ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ବିଶେଷ ଭାବରେ, ଇକ୍ୱିଟି ଉପରେ ଦୀର୍ଘମିଆଦି ପୁଞ୍ଜି ଲାଭ ବା ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ ଟିକସକୁ ୧୦% ରୁ  ୧୨.୦୫% ​​କୁ ବୃଦ୍ଧି କରିଛନ୍ତି । ଏହା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସକୁ ୧୫% ରୁ ୨୦% କୁ ବୃଦ୍ଧି କରାଯାଇଛି | ତେବେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଛାଡ ସୀମା ମଧ୍ୟ ୧ ଲକ୍ଷରୁ ୧,୨୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଯାହା ଏବେ ଷ୍ଟକ ମାର୍କେଟର ନିବେଶକାରୀଙ୍କ ମୁଣ୍ଡରେ ଚଡକ ପକାଇଛି ।

ସେପଟେ ବଜେଟ୍ ଘୋଷଣା ପରେ ସମସ୍ତ ଷ୍ଟକ ମାର୍କେଟରେ ବଡ ହ୍ରାସ ପରିଲକ୍ଷିତ ହୋଇଛି ।  ଯେଉଁଥିରେ ସେନସେକ୍ସ, ନିଫ୍ଟି ଭଳି ମାର୍କେଟ ଭାରି ମାତ୍ରାରେ କ୍ଷତି ସହିଛନ୍ତି । ସେନସେକ୍ସ ୧,୨୪୮.୨୩ ପଏଣ୍ଟ ହରାଇ ୮୦ ହଜାର ତଳକୁ ଖସି ଆସିଥିବାବେଳେ ନିଫ୍ଟି ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୦୯ ପଏଣ୍ଟ ହ୍ରାସ ପାଇଛି। ଯାହାକୁ ନେଇ ଏବେ ନିବେଶକାରୀଙ୍କ ମନରେ ଛନକା ପଶିଛି ।

Comments are closed.