Latest Odisha News

BREAKING NEWS

ଆଗକୁ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ବଢିବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି । ଯାହା ଶୁକ୍ରବାର ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କର କରାଇଛି ପାଣିପାଗ ବିଭାଗ ।

ଏନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାସହିତ ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗକୁ ବର୍ଷା ସମ୍ଭାବନା ଥିବା ଜିଲ୍ଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ । କଟକର ଗଳିକନ୍ଦି ସବୁଠି ଜଳମଗ୍ନ । ଯେଉଁ କାରଣରୁ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କଟକବାସୀ । ସେହିପରି ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ପରିବାରର ୫ଜଣ ଗୁରୁତର ହୋଇଛନ୍ତି ।

Comments are closed.