ଭୁବନେଶ୍ୱର: ସାମୁଦ୍ରିକ ଝଡ ବୁଲବୁଲ୍ ପ୍ରଭାବରେ ଉପକୂଳବର୍ତ୍ତି ୯ଟି ଜିଲ୍ଲାରେ ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରି ଯେ କୌଣସି ପ୍ରକାର ସ୍ଥିତିଏ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜରୁରୀ ସେବା ସହ ସମ୍ପୃକ ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବାତ୍ୟା ଓ ବହୁମୁଖୀ ଆଶ୍ରୟସ୍ଥଳକୁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରଖିବା ସହ ପରିସ୍ଥିତି ବିଷୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୯ ତାରିଖ ଦିନ ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ଆଦି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ହୋଇଥିଲା। ବର୍ଷା ଓ ପବନର ଗତି ଲକ୍ଷ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୮ ତାରିଖ ଦିନ ସ୍କୁଲ ବନ୍ଦ ରହିଛି ।
ଇତି ମଧ୍ୟରେ ପ୍ରଭାବିତ ହେବାକୁ ଥିବା ୯ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ ଓ ଗୋଟିଏ ଲେଖାଏଁ ଏନ.ଡି.ଆର.ଏଫ. ଟିମ ପଠାଯାଇଛି । ଏସବୁ ଜିଲ୍ଲାର ଅଗ୍ନିଶମ ସେବା ସଂସ୍ଥା ୟୁନିଟ ମାନଙ୍କୁ ମଧ୍ୟ ସଜାଗ ରଖାଯାଇଛି । ପବନ ପରେ ଗଛ ଭାଙ୍ଗି ଯିବାର ଆଶଙ୍କା ଥିବାରୁ ରାସ୍ତାଘାଟ ସଫା କରିବା ପାଇଁ ସମସ୍ତ ଯନ୍ତ୍ରପାତି ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଲୋଚନାରୁ ଜଣାପଡିଛି ଯେ ପ୍ରଭାବିତ ହେବାକୁ ଜିଲ୍ଲା ମାନଙ୍କରେ ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ ଘଣ୍ଟାକୁ ୫୫ ରୁ ୬୫ କିମି ପର୍ଯ୍ୟନ୍ତ ରହିବ । ଏହା ଧୀରେଧୀରେ ବୃଦ୍ଧି ପାଇ ଶନିବାର ସନ୍ଧ୍ୟା ବେଳକୁ ୯୦ କିମିରେ ପହଞ୍ଚିବ । ରବିବାରକୁ ପବନର ବେଗ କମିଯିବ ।
ସେହିପରି ଆଜିଠାରୁ ପୁରୀ, କେନ୍ଦ୍ରାପଡା ଓ ଯାଜପୁର ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ, ଧୀରେଧୀରେ ଏହା ଅନ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ବ୍ୟାପିବ ଏବଂ ବର୍ଷାର ତୀବ୍ରତା ମଧ୍ୟ ବୃଦ୍ଧି ପାଇବ । ଶନିବାର ଦିନ କେତେକ ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଧୀବର ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।
ବାତ୍ୟା ପ୍ରଭାବରେ କଚ୍ଚାଘର, ଆଜବେଷ୍ଟ, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ଟେଲିଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତତ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ବେଶେଷତଃ ପାଚିଲା ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ସେସବୁ କ୍ଷେତରୁ ନିରାପଦ ସ୍ଥାନକୁ ନେଇଆସିବା ନିମନ୍ତେ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଛି ।
Comments are closed.