ଭୁବନେଶ୍ବର: ବର୍ଷାଦିନେ ବଢୁଛି ବଜ୍ରପାତରେ ମୃତ୍ୟୁସଂଖ୍ୟା । ଗତବର୍ଷ ଓଡିଶାରେ ଦୁଇ ଘଣ୍ଟାରେ ୬୧ହଜାରରୁ ଅଧିକ ବଜ୍ରପାତ ହୋଇଥିଲା। ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ବ୍ୟାପକ ତାଳଗଛ ବନୀକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ ହିଁ ୭କୋଟି ଟଙ୍କା ବ୍ୟୟରେ ୧୯ଲକ୍ଷ ତାଳଗଛ ଲଗାଇବାକୁ ଘୋଷଣା କରାଯାଇଛି । ପୂର୍ବରୁ ବିଜେଡି ସରକାର ମିଶନ ତାଳଗଛ ଆରମ୍ଭ କରିଥିଲେ । ତେବେ ବଜ୍ରପାତ ପରି ପ୍ରାକୃତ୍ତିକ ବିପତ୍ତିରୁ କିପରି କବଚ ସାଜେ ତାଳଗଛ?
ବଜ୍ରପାତ ବଡ଼ ବିପତ୍ତି
ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ବଜ୍ରପାତ ନେଉଛି ଅଧିକ ଜୀବନ । ରାଜ୍ୟରେ ବର୍ଷକୁ ପ୍ରାୟ ୩ଶହ ଲୋକ ବଜ୍ରପାତରେ ପ୍ରାଣ ହରାଉଛନ୍ତି । ୨୦୧୮-୧୯ରୁ ୨୦୨୨-୨୩ ମସିହା ମଧ୍ୟରେ ରାଜ୍ୟରେ ୨ହଜାରରୁ ଅଧିକ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ମୃତ୍ୟୁ ଖୋଲା ଜାଗାରେ ହୋଇଛି । ଗତ ୧୧ବର୍ଷରେ ୩ହଜାର ୭୯୦ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଓଡିଶାରେ ଅଧିକ ପରିମାଣରେ ବଜ୍ରପାତ ହେବା ପଛରେ ରାଜ୍ୟର ଭୌଗଳିକ ସ୍ଥିତି ପ୍ରମୁଖ କାରଣ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ ବଜ୍ରପାତ ବଢିବାରେ ଲାଗିଛି । ଲମ୍ବା ସମୟ ଧରି ତାପମାତ୍ରା ବଢିରହିବା ଦ୍ବାରା ବି ବଜ୍ରପାତ ବଢୁଛି । ପ୍ରତି ୧ଡିଗ୍ରୀ ବୃଦ୍ଧି ସହ ବଜ୍ରପାତ ଆଶଙ୍କା ୧୦ପ୍ରତିଶତ ବଢୁଥିବା ଜଣାପଡିଛି ।
କେଉଁଠି ହୁଏ ଅଧିକ ବଜ୍ରପାତ ?
ଗ୍ରାମାଞ୍ଚଳରେ ହିଁ ପ୍ରାୟ ୯୬ପ୍ରତିଶତ ବଜ୍ରପାତ ହୁଏ । ଫଳରେ ଜମିରେ କାମ କରୁଥିବା ଚାଷୀ, ମଜୁରିଆ ବିଶେଷ ଭାବେ ବଜ୍ରପାତର ଶିକାର ହୋଇଥାନ୍ତି । ବର୍ଷା ବେଳେ ଘରୁ ବାହାରେ ରହିଲେ ବଜ୍ରପାତ ହେବାର ଆଶଙ୍କା ବଢିଯାଏ । ବଜ୍ରପାତ ଅଘଟଣ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ହୁଏ । ତେବେ ଚାଷ କାମ ଅଧିକ ହେଉଥିବା ଜୁନରୁ ଅକ୍ଟୋବର ମଧ୍ୟରେ ବଜ୍ରପାତଜନିତ ଅଘଟଣ ସର୍ବାଧିକ ହୋଇଥାଏ । ସେହିପରି ଦ୍ବିପହର ସମୟରେ ସର୍ବାଧିକ ବଜ୍ରପାତ ହୁଏ । ମଣିଷ ବଜ୍ରପାତରେ ଶିକାର ହେଲେ ମୁଣ୍ଡ, ବେକ ଓ କାନ୍ଧରେ ଆଘାତ ଲାଗେ ।
କେମିତି ବଜ୍ରପାତରୁ ରକ୍ଷା କରିବ ତାଳଗଛ?
ଅନ୍ୟ ସବୁ ଗଛ ଅପେକ୍ଷା ତାଳଗଛର ଉଚ୍ଚତା ଅଧିକ । ସାଧାରଣ ଭାବେ ତାଳଗଛର ଉଚ୍ଚତା ୨୦ଫୁଟ୍ ବା ତାଠାରୁ ଉଚ୍ଚ ହୋଇଥାଏ । ତାଳଗଛର ଗଣ୍ଡିରେ ଅଧିକ ଜଳୀୟ ଅଂଶ ରହିଥିବାରୁ ଏହାର ବିଦ୍ୟୁତ ପ୍ରତିରୋଧ କ୍ଷମତା କମ୍ ହୋଇଥାଏ । ତେଣୁ ବିଜୁଳି ସହଜରେ ମାଟିକୁ ଚାଲିଯାଏ। ଏକପ୍ରକାର ଆର୍ଥିଂ ଓୟାର ଭଳି କାମ କରେ ତାଳଗଛ । ଫଳରେ ଆଖପାଖରେ ରହିଥିବା ପ୍ରାଣୀ ଓ ଅନ୍ୟ ଗଛ ଆଘାତ ପାଇନଥାନ୍ତି।
ତାଳଗଛ ତଳେ ରହିଲେ ବିପଦ
ବଜ୍ରପାତରୁ ରକ୍ଷା କରେ ତାଳଗଛ । ତେବେ ବଜ୍ରପାତ ସମୟରେ ତାଳଗଛ ତଳେ ରହିବା ଆଦୌ ନିରାପଦ ନୁହେଁ । ତାଳଗଛ ମୂଳକୁ ଗଲେ ସାଂଘାତିକ ହୋଇପାରେ । ବର୍ଷା ସମୟରେ ତାଳଗଛ ତଳେ ରହିଲେ ଆମ ଦେହ ଦେଇ ବିଜୁଳି ଯିବାର ଆଶଙ୍କା ରହିଥାଏ । ଅନେକ ଥର ବଜ୍ରପାତରେ ତାଳଗଛ ଜଳିଯାଏ । ନିଜେ ଜଳି ଅନ୍ୟମାନଙ୍କୁ ରକ୍ଷା କରିଥାଏ ତାଳଗଛ । ତେଣୁ ବଜ୍ରପାତ ସମୟରେ ତାଳଗଛ କିମ୍ବା କୌଣସି ଉଚ୍ଚ ଗଛ ତଳକୁ ଯିବା ଉଚିତ ନୁହେଁ । ଜଙ୍ଗଲ ଅଞ୍ଚଳରେ ଥିଲେ ଛୋଟ ଗଛ ପାଖରେ ଆଶ୍ରୟ ନେଇପାରିବେ ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ବଜ୍ରପାତ ସଂଖ୍ୟା ବଢିଥିବା ବେଳେ ଏଥିରୁ ରକ୍ଷା ପାଇଁ ରାଜ୍ୟ ସରକାର ତାଳଗଛ ଲଗାଇବା ଉପରେ ଗୁରୁତ୍ବ ଦେଉଛନ୍ତି । ତାଳଗଛ ଲଗାଇବା ପରେ ଏହା ବଡ ହୋଇ ବଜ୍ରପାତରୁ ରକ୍ଷା କରିବା ଅବସ୍ଥାକୁ ଆସିବାକୁ ୨୦ବର୍ଷ ଲାଗେ । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ତାଳଗଛ କାଟିବା ଉପରେ ବି କଟକଣା ଲଗାଇଛନ୍ତି । ବନ ବିଭାଗର ବିନା ଅନୁମତିରେ କେହି ନିଜ ବାଡିରୁ ତାଳଗଛ କାଟିପାରିବେନି । ଅଧିକ ତାଳଗଛ ବନୀକରଣ କରି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ।
Comments are closed.