Latest Odisha News

ଗୁଳି ଫୁଟି ୨ ମୃତ ଘଟଣା: ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଳରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ଦୁଇ ମୃତ ଘଟଣା । ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବକୁ ବାଜିଥିଲା ଗୁଳି ପରେ ପିଏସଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ କଲା ପୋଲିସ୍ । ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସମ୍ୱଲପୁର ଆଇଜି ହିମାଂଶୁ ଲାଲ ।

୧୭ ଜଣଙ୍କ ସାକ୍ଷ ଗ୍ରହଣ କରି ତଦନ୍ତ କରିଥିଲା ପୋଲିସ । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା। ପୋଲିସର ସୂଚନା ଅନୁସାରେ ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ୍ ଗାଁରେ ଘଟିଥିଲା ଅଘଟଣ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ ଝାଙ୍କର ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରିଥିଲେ। ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍ ରିଭଲବର୍ ଛଡ଼ାଇ ନେଇ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାକୁ ଦେଖି ମନୋଜ ତାଙ୍କଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ।

ଏହି ସମୟରେ ପୁଣି ଏକ ଗୁଳି ଫାୟାର ହୋଇ ଶେଷଦେବଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେଠାରେ ସେ ଟଳି ପଡ଼ିଥିଲେ। ଏହା ଦେଖି ମନୋଜ ନିଜେ ନିଜକୁ ସୁଟ କରି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ସେହି ସ୍ଥାନରୁ ୭ ଟି ଖୋକା ମିଳିଥିବା ବେଳେ ଦୁଇଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣାରେ ଆଉ କାହାରି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ପୋଲିସ । ତାସହିତ ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି। ଏନେଇ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରିମଲ୍ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Comments are closed.