Latest Odisha News

ସରୁନି ବାବୁଙ୍କ ପ୍ଲଟ ଗଣା, ଯନ୍ତ୍ରୀଙ୍କ ନାଁରେ ଆହୁରି ୨୦ ପ୍ଲଟ ଠାବ

ଭୁବନେଶ୍ଵର: ଯେତେ ଖୋଳିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ପ୍ଲଟ ସଂଖ୍ୟା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨ ତାରିଖରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ ୨୦ଟି ପ୍ଳଟ୍ ଠାବ କରାଯାଇଛି। ପୂର୍ବରୁ ୮୫ଟି ଫ୍ଲଟ୍ ଠାବ ହୋଇଥିଲା। ଏବେ ଆଉ ୨୦ଟି ପ୍ଲଟ ଠାବ ହୋଇଛି। ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଠାବ କରାଯାଇଛି ଏହି ୨୦ଟି ପ୍ଲଟ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। ଏହାକୁ ମିଶେଇ ବାବୁଙ୍କର ଏଯାବତ୍ ୧୦୫ଟି ପ୍ଲଟ ଠାବ କରାଗଲାଣି ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରଭାସଙ୍କର ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଥିଲା । ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଶେଷରେ ୨ ତାରିଖରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗିରଫ ହେବା ପରେ ସେବେଠାରୁ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଜେଲରେ ଅଛନ୍ତି ।

ଭିଜିଲାନ୍ସ ସୂଚନା ଅନୁସାରେ, ଯନ୍ତ୍ରୀ ବାବୁ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି ପ୍ଲଟ୍ ଥିବା ଜଣାପଡିଥିଲା । ଏସବୁ ପ୍ଲଟ୍‌ ର ସେଲ୍‌ ଡିଡ୍ ମୂଲ୍ୟ ୨.୦୭ କୋଟି ଟଙ୍କାରୁ ଅଧିକ ହେବ । ଆଜି ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଆଉ ୨୦ଟି ପ୍ଲଟ ଠାବ ହୋଇଛି । ଏହାକୁ ମିଶେଇ ବାବୁଙ୍କ ପ୍ଲଟ ସଂଖ୍ୟା ଏବେ ୧୦୫ରେ ପହଞ୍ଚିଛି । ଅନ୍ୟପଟେ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା, ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ମିଳିଥିଲା । ଏଥିସହ ବ୍ୟାଙ୍କ ଜମା, ପୋଷ୍ଟାଲ ଓ ବୀମା ଜମା ବାବଦକୁ ସେ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା, ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ।

 

Comments are closed.