Latest Odisha News

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା; ଟ୍ବିଟ୍ କରି ଏପରି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା କମିବାର ନାଁ ନେଉନି । ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ଜାରି ରହିଛି । ଏହି ଘଟଣା ଉପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଆକ୍ରମଣର ଖବର ବେଶ ଚିନ୍ତାଜନକ ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ଜାତି, ଧର୍ମ, ଭାଷା କିମ୍ବା ପରିଚୟ ଆଧାରରେ ଭେଦଭାବ, ହିଂସା ଏବଂ ଆକ୍ରମଣ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମେ ଆଶା କରୁଛୁ ଶୀଘ୍ର ବାଂଲାଦେଶରେ ପରିସ୍ଥିତି ସ୍ୱାଭାବିକ ହେବ। ତେବେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି । ମହମ୍ମଦ ୟୁନୁସଙ୍କୁ ମୁଖ୍ୟ ଭାବେ ମନୋନୀତ କରାଯାଇଛି । ମହମ୍ମଦ ୟୁନୁସ ଶାନ୍ତ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରାଯାଇଛି । କେତେକ ହିନ୍ଦୁ ସଂଗଠନ ଏହାର ବିରୋଧ ଆରମ୍ଭ କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ସେଠାରେ ନବ ନିର୍ବାଚିତ ସରକାରଙ୍କ ଠାରୁ ଲୋକଙ୍କ ସୁରକ୍ଷା ଦାବି କରିଛନ୍ତି । ସେ ଲେଖିଛନ୍ତି ଯେ, ସେଠାରେ ନବ ନିର୍ବାଚିତ ସରକାର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମ ଅନୁସରଣ କରୁଥିବା ଲୋକଙ୍କ ପ୍ରତି ସୁରକ୍ଷା ଏବଂ ସମ୍ମାନ ନିଶ୍ଚିତ କରିବେ । ଅଗଷ୍ଟ 8 ରେ, ବାଂଲାଦେଶୀ ନୋବେଲ ବିଜେତା ମହମ୍ମଦ ୟୁନୁସ ୧୭ ଜଣଙ୍କ ସହ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛନ୍ତି । ଢାକାରେ ଏକ ସମାରୋହରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୭ ଜଣ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି ।

Comments are closed.