Latest Odisha News

BREAKING NEWS

ପାକିସ୍ତାନରେ ଏମିତି କେବେ ହୋଇନଥିଲା !

ନୂଆଦିଲ୍ଲୀ: ସେନା ଆକ୍ରୋଶର ଶୀକାର ହେଲେ କି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ? ମହଙ୍ଗା ପଡିଲା କି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଘନିଷ୍ଠତା ?

ପାକିସ୍ତାନରେ ଏମିତି କେବେ ହୋଇନଥିଲା । ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ଇଂଟର ସର୍ଭିସ ଇଂଟେଲିଜେନସ-ଆଇଏସଆଇର ଜଣେ ପୂର୍ବତନ ମୁଖ୍ୟ ବନ୍ଧା ହେବେ ବୋଲି କେହି ବି ଭାବିନଥିବେ । କିନ୍ତୁ ଯାହା ହୋଇନଥିଲା, ତାହା ଏବେ ହୋଇଛି । ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହମିଦଙ୍କୁ ଗିରଫ କରାଯାଇଥିବା ପାକିସ୍ତାନୀ ସେନା ସୂଚନା ଦେଇଛି । ଅବସର ପରେ ଫୈଜ ହମିଦ ପାକିସ୍ତାନ ଆର୍ମି ଆକ୍ଟ ଉଲ୍ଲଂଘନ କରିଥିବା ପ୍ରମାଣିତ ହୋଇଛି ହୋଲି ସେନା ପକ୍ଷରୁ କୁହାଯାଇଛି । ଫୈଜ ହମିଦଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି ସେନା ।

ସେନାର ଜଣେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଧିକାରୀ ଓ ଆଇଏସଆଇ ଭଳି ସଂସ୍ଥାର ପୂର୍ବତନ ମୁଖ୍ୟଙ୍କ ଗିରଫଦାରୀ ପାକିସ୍ତାନରେ ଅସ୍ୱାଭାବିକ ଘଟଣା । କାରଣ ଗଠନ ହେବାର ୭୭ ବର୍ଷ ମଧ୍ୟରେ ୩୦ ବର୍ଷ କାଳ ସେନା ହିଁ ପାକିସ୍ତାନକୁ ଶାସନ କରିଛି । ଯେକୌଣସି ନିର୍ବାଚିତ ସରକାର ଉପରେ ସେନାର ରହିଥାଏ ଅଖଣ୍ଡ ପ୍ରଭାବ ।

୨୦୧୯ରୁ ୨୦୨୧ ଯାଏଁ ଆଇଏସଆଇର ମହାନିର୍ଦ୍ଦେଶକ ଥିଲେ ଫୈଜ ହମିଦ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆଫଗାନିସ୍ତାନ ତାଲିବାନର ବଡ ସମର୍ଥକ ଭାବେ ଜଣାଶୁଣା ହମିଦ । ସେ ମଧ୍ୟ ଜଣେ ଭାରତର ବଡ ନିନ୍ଦୁକ । ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କଲା ପରେ ଏକ କାବୁଲର ଏକ ହୋଟେଲ ଲବିରେ ହମିଦ ଚା’ ପିଉଥିବା ଦେଖାଯାଇଥିଲା । ଆଇଏସଆଇ ସବୁବେଳେ ତାଲିବାନକୁ ସମର୍ଥନ କରୁଥିବା ଅଭିଯୋଗ କରିଥିଲା ଆମେରିକା । ଆଇଏସଆଇ ମୁଖ୍ୟ ଭାବେ ହମିଦଙ୍କ କାର୍ଯ୍ୟକାଳରେ ଆମେରିକା ସହ ଗୁଇନ୍ଦା ଏଜେନସୀର ସଂପର୍କ ତିକ୍ତ ହୋଇଥିଲା ।

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଆଇଏସଆଇ ମୁଖ୍ୟ ଭାବେ ଫୈଜ ହମିଦଙ୍କୁ ନିଯୁକ୍ତ କରିଥିଲେ । ଇମ୍ରାନ ଖାନ ପାକିସ୍ତାନ ସେନାର ଗେହ୍ଲା ପୁଅ ଥିଲେ ମଧ୍ୟ ଫୈଜ ହମିଦଙ୍କ ସହ ତାଙ୍କ ଘନିଷ୍ଠତାକୁ ପସନ୍ଦ କରିନଥିଲା ସେନା । କାର୍ଯ୍ୟକାଳ ସରିବା ପରେ ମଧ୍ୟ ହମିଦଙ୍କୁ ଆଇଏସଆଇ ମୁଖ୍ୟ ଭାବେ ରଖିବାକୁ ଚାହୁଁଥିଲେ ଇମ୍ରାନ ଖାନ । ଏଥିରେ ସେନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆପତ୍ତି ପ୍ରକାଶ କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଏପରିକି ଇମ୍ରାନ ଫୈଜ ହମିଦଙ୍କୁ ପାକିସ୍ତାନ ସେନାର ନୂଆ ମୁଖ୍ୟ କରିବାକୁ ଚାହୁଁଥିଲେ । ଫୈଜ ହମିଦଙ୍କ ପ୍ରସଙ୍ଗରେ ହିଁ ଇମ୍ରାନ ଖାନଙ୍କ ସହ ସେନାର ସଂପର୍କ ବିଗିଡିବାରେ ଲାଗିଲା । ଏଣେ ଆମେରିକା ମଧ୍ୟ ଫୈଜ ହମିଦଙ୍କ ପ୍ରମୋସନ ଚାହୁଁନଥିଲା । ୨୦୨୨ ମସିହାରେ ଇମ୍ରାନ ଖାନ ପାର୍ଲାମେଂଟରେ ଅନାସ୍ଥା ପ୍ରସ୍ତାବରେ ହାରି କ୍ଷମତାଚ୍ୟୁତ ହୋଇଥିଲେ । ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଇମ୍ରାନ ଜେଲରେ ଥିବା ବେଳେ ଏବେ ତାଙ୍କ ଘନିଷ୍ଠ ସହଯୋଗୀ ଫୈଜ ହମିଦ ସେନା ହାଜତରେ । ଇମ୍ରାନଙ୍କୁ ଗାଦିରୁ ହଟାଇବା ପଛରେ ପାକିସ୍ତାନ ସେନାର ହାତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ପାକିସ୍ତାନ ସେନା ମୁଖ୍ୟଙ୍କ ପରେ ଆଇଏସଆଇ ମୁଖ୍ୟ ହେଉଛନ୍ତି ଦେଶର ଦ୍ୱିତୀୟ ଶକ୍ତିଶାଳୀ ସେନା ଅଫିସର । ଜମି ଦୁର୍ନୀତିରେ ପୂର୍ବତନ ଆଇଏସଆଇ ମୁଖ୍ୟଙ୍କ ଗିରଫଦାରୀ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ପାଇଁ ନିହାତି ଏକ ବଡ ଘଟଣା ।

 

 

Comments are closed.