Latest Odisha News

BREAKING NEWS

ମନେପଡନ୍ତି ଭାରତରତ୍ନ ବାଜପେୟୀ

ନୂଆଦିଲ୍ଲୀ: ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୬ଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ । ଦିଲ୍ଲୀ ରାଜଘାଟ ସ୍ଥିତ ତାଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଉପସ୍ଥିତ ରହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଙ୍କ ସମେତ ଅନ୍ୟ ବିଜେପି ମନ୍ତ୍ରୀ ଓ ସାଂସଦମାନେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ତେବେ ତାଙ୍କର ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବହୁତ ମନେପଡନ୍ତି ଅଟଳ । ୨୦୧୮ ମସିହା ଆଜି ଦିନ(ଅଗଷ୍ଟ ୧୬)ରେ ହିଁ ୯୩ ବର୍ଷ ବୟସରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ । ଏମିତି ହିଁ ସେ ଅଟଳ ନାଁରେ ପରିଚିତ ନଥିଲେ । ନିଜ ମନ, କାୟା, ବାକ୍ୟରେ ବି ଅଟଳ ଥିଲେ ପ୍ରଧାନମନ୍ତ୍ରୀ ଅଟଳ । ସେ ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ବି ତାଳି ମାରିବାକୁ ପଛାଉନଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ଇତିହାସରେ ଅନେକ ପୃଷ୍ଠା ଲେଖିଛି ।

୨୫ ଡିସେମ୍ବର ୧୯୨୪ରେ ଗ୍ବାଲିୟରରେ ଜନ୍ମ ଗ୍ରହଣ କରିଥିବା ଅଟଳ ବିହାରୀ ବାଜପେୟୀ ତିନି ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଆସନ ସମ୍ଭାଳିଛନ୍ତି । ବାଣିଜ୍ୟ କ୍ଷେତ୍ରରେ ଅଟଳଙ୍କର ଅବଦାନ ଅବିସ୍ମରଣୀୟ । ଆଜି ବି ପ୍ରଧାନମନ୍ତ୍ରୀ ସଡକ ଯୋଜନା ବିଭିନ୍ନ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଛି । ଯାହା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିଲା । ସେ ଥିଲେ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ । ଭାରତ ରାଜନୀତିର ଅଜାତ୍ ଶତ୍ରୁ । ଆଉ ସଭିଙ୍କ ପ୍ରିୟ ସେ ସଦାବେଳେ ସବୁ ନିଷ୍ପତ୍ତିରେ ଅଟଳ । ସବୁ କିଛି ପରିସ୍ଥିତିକୁ କବିତା ସହ ବଖାଣୁଥିଲେ ଅଟଳ । ଯାହାଙ୍କର ପ୍ରଶଂସା କରିବାକୁ ବିରୋଧୀ ବି କୁଣ୍ଠାବୋଧ କରୁନଥିଲେ ।

ଏ ଅଟଳତା ପଣ ପାଇଁ ଦିନେ ସିଏ ସ୍ବପ୍ନ ଦେଖିଥିଲେ ଛତିଶଗଡ ରାଜ୍ୟ ଛିଡା କରିବେ । ଦେଶର ୨୬ ତମ ରାଜ୍ୟ ଛତିଶଗଡ ତାଙ୍କ ଏହି ଅଟଳତାର ପରିଣାମ । ୧୯୯୦ରେ ସେ ଏହି ରାଜ୍ୟକୁ ଗଢିବାକୁ ସ୍ବପ୍ନ ଦେଖିଥିଲେ । ଆଉ ତାହା ପରେ ୨୦୦୦ ମସିହାରେ ଏକ ରାଜ୍ୟ ଛତିଶଗଡ ନାମରେ ଛିଡା କରିଥିଲେ । ତା ଭିତରେ ଥିଲା ଅନେକ ସଂଘର୍ଷ ।

ଆସନ୍ତୁ ନଜର ପକାଇବା ଅଟଳବିହାରୀ ବାଜପେୟୀଙ୍କ କିଛି ଅଜଣା କଥା ଉପରେ:

ଦେଶ ରାଜନୀତିର ପିତାମହ ଭାବେ ପରିଚିତ ବାଜପେୟୀ ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ତିନିଥର (୧୯୯୬- ୨୦୦୪) କାର୍ଯ୍ୟଭାର ସମ୍ଭାଳି ଥିଲେ ।

ଆରଏସଏସ ବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସେ ଜଣେ ଅନୁଗାମୀ ଥିଲେ । ରାଜନୀତି ସହିତ କବିତାରେ ମଧ୍ୟ ଜଣେ ସରଳ ହୃଦୟୀ ବ୍ୟକ୍ତି ଥିଲେ ବାଜପେୟୀ ।

୧୯୫୫ରେ ପ୍ରଥମ କରି ସେ ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ପରେ ୧୯୫୭ରେ ଉତ୍ତରପ୍ରେଦେଶରର ବଳରାମପୁର ଆସନରୁ ସାଇକେଲ ଯୋଗେ ପ୍ରଚାର କରି, ଜିତି ପ୍ରଥମ ଥର ପାଇଁ ଲୋକସଭା ଯାଇଥିଲେ । ୩୩ ବର୍ଷରେ ପ୍ରଥମ କରି ଯେତେବେଳେ ସେ ସଂସଦରେ ନିଜର ଅଭିଭାଷଣ ରଖିଥିଲେ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କର ପିଠି ଥାପୁଡାଇ ଦେିଥିଲେ ।  ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

୧୯୭୫ରେ ଇନ୍ଦିରା ସରକାରଙ୍କ କାର୍ଯ୍ୟକାଳ ବେଳେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ୨୨ ମାସ ଜେଲରେ ରହିଥିଲେ ବାଜପେୟୀ ।

ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତର ମାତୃ ଭାଷାକୁ ଗୌରବାନ୍ୱିତ କରିଥିଲେ ।

୧୯୯୮ ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ୱାରା ସେ ବିଶ୍ୱରେ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ ।

ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

୨୦୦୫ ଶେଷ ଆଡକୁ ସେ ରାଜନୀତିରୁ ଅବସର ନେଇଥିଲେ।

ଅଟଳ ବିହାରୀ ବାଜପେୟୀଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି । ତାଙ୍କୁ ୧୯୯୨ ରେ ପଦ୍ମଭୂଷଣ, ୧୯୯୪ ରେ ଲୋକମାନିଆ ତିଲକ ପୁରସ୍କାର, ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଏବଂ ଗୋବିନ୍ଦ ବଲ୍ଲବ ପନ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା ।

୨୦୧୪ରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ୨୦୧୪ ଡିସେମ୍ବର ୨୫ ତାଙ୍କର ୯୦ ତମ ଜନ୍ମଦିନକୁ ସୁଶାସନ ଦିବସ ରୂପେ ପାଳନ କରାଯାଏ ।

ବାଜପେୟୀଙ୍କୁ ସମ୍ମାନ ଜଣାଇ ସେତେବେଳର ସରକାର ୨୦୧୮ ରେ ୧୦୦ ସ୍ମରଣୀୟ ମୁଦ୍ରା ଲଞ୍ଚ କରାଯାଇଥିଲା ।

ସେ ରାଷ୍ଟ୍ରିୟ ସ୍ୱୟଂ ସେବାକ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଭାବେ ୧୬ ଅଗଷ୍ଟ ୨୦୧୮ ରେ ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Comments are closed.