Latest Odisha News

ବୌଦ୍ଧଧର୍ମ ଗବେଷକ ପ୍ରବୀର ପଟ୍ଟନାୟକ ପାଇବେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ବୌଦ୍ଧଧର୍ମ ଗବେଷକ ଓ ଲେଖକ ପ୍ରବୀର ପଟ୍ଟନାୟକଙ୍କୁ ୨୦୨୪ ର ‘ନବଗୁଞ୍ଜର ସମ୍ମାନ’ରେ ପୁରସ୍କୃତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟି ନବଗୁଞ୍ଜର ସଂସ୍କୃତି ମଞ୍ଚ ଭୁବନେଶ୍ୱର ସଂସ୍ଥାପକ ସଦସ୍ୟଗଣ ଏହି ସମ୍ମାନ ଘୋଷଣା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରତିବର୍ଷ ନବଗୁଞ୍ଜର ମଞ୍ଚ ପକ୍ଷରୁ, ଓଡ଼ିଆ ସଂସ୍କୃତି ଗବେଷଣା, ପ୍ରକାଶନ ଓ ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକଳାପ ନିମନ୍ତେ ଜଣେ ଯୋଗ୍ୟବ୍ୟକ୍ତିଙ୍କୁ ମନୋନୀତ କରାଯାଇଥାଏ । ଏହି ମଞ୍ଚର ଆଗାମୀ ବାର୍ଷିକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ନିମନ୍ତେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ମାନପତ୍ର, ପୁରସ୍କାର ରାଶି ତଥା ଉପଢୌକନ ଦ୍ଵାରା ସମ୍ମାନିତ କରାଯିବ ଏବଂ ବାର୍ଷିକ ନବଗୁଞ୍ଜର ବ୍ୟାଖ୍ୟାନ ମାଳା ଆୟୋଜନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଦୀର୍ଘ ଚଉଦ ବର୍ଷର ଅକ୍ଲାନ୍ତ ଗବେଷଣା ପରେ ପ୍ରବୀର ପଟ୍ଟନାୟକ ଉଡ୍ଡୀୟାନ ଗୁରୁ ପଦ୍ମସମ୍ଭବ-ଦ୍ଵିତୀୟ ବୁଦ୍ଧଙ୍କ ଗୌରବମୟ ଜୀବନ ଓ ସଫଳତା ବିଷୟରେ ବହୁ ଐତିହାସିକ ତଥ୍ୟ ସମ୍ବଳିତ ପୁସ୍ତକ ରଚନା କରିଛନ୍ତି । ପୁସ୍ତକଟିରେ ସେ ବଳିଷ୍ଠ ପ୍ରମାଣ ଉପସ୍ଥାପିତ କରିଛନ୍ତି ଯ ଉଡ୍ଡୀୟାନ ଗୁରୁ ପଦ୍ମସମ୍ଭବ ଓଡ଼ିଶାର ସମ୍ବଲପୁର ନିକଟସ୍ଥ ପଦ୍ମପୁର ଗ୍ରାମରେ ଅଷ୍ଟମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବୌଦ୍ଧଧର୍ମର ମହାଯାନ ଶାଖା ଅନ୍ତର୍ଗତ ବଜ୍ରଯାନ ତଥା ତାନ୍ତ୍ରିକ ବୌଦ୍ଧ ପନ୍ଥାର ପ୍ରବର୍ତ୍ତକ ଥିଲେ ।

ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ବୌଦ୍ଧଧର୍ମ ଶାଖା ତିବ୍ବତ ସମେତ ବିସ୍ତୃତ ହିମାଳୟ ପାର୍ବତ୍ୟାଞ୍ଚଳ ଦେଶ ମାନଙ୍କରେ ଉଭୟ ରାଜଧର୍ମ ଓ ଲୋକଧର୍ମ ଭାବେ ବହୁଳ ଆଦୃତ ହୋଇଥିଲା। ତାଙ୍କ ଦ୍ୱାରା ପ୍ରସାରିତ ବୌଦ୍ଧଧର୍ମ ଶାଖା ଲାମା-ପନ୍ଥ ଭାବେ ମଧ୍ୟ ଆଜିପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି । ମହାମାନ୍ୟ ଦଳାଇଲାମା ସେହି ପନ୍ଥର ସମ୍ପ୍ରତି ମୁଖ୍ୟ ଧର୍ମଗୁରୁ ରୂପେ ପୂଜିତ ହେଉଛନ୍ତି।

ଏତେ ପ୍ରାଚୀନ କାଳରେ ଓଡ଼ିଶାରେ ଜନ୍ମିତ ବଜ୍ରଯାନ ଧର୍ମପ୍ରବର୍ତ୍ତକ ପଦ୍ମସମ୍ଭବ ବା ଦ୍ଵିତୀୟ ବୁଦ୍ଧଙ୍କ ଅନନ୍ୟ ଗରିମାମୟ ଜୀବନ ସମ୍ପର୍କରେ ସମ୍ପୂର୍ଣ୍ଣ ଭାରତରେ ଏହା ପ୍ରଥମ ପ୍ରାମାଣିକ ଗବେଷଣାଲବ୍ଧ ପୁସ୍ତକ। ଏହାଦ୍ବାରା ଉତ୍କଳୀୟ ବୌଦ୍ଧ ସଂସ୍କୃତିର ମହିମା ମଣ୍ଡନ ହୋଇପାରିଛି ବୋଲି ନବଗୁଞ୍ଜର ସଂସ୍କୃତି ମଞ୍ଚର ମୁଖ୍ୟ ଡ. ଉମାକାନ୍ତ ମିଶ୍ର ଆନନ୍ଦ ବ୍ୟକ୍ତ କରିଛନ୍ତି। ମହାମାନ୍ୟ ଧର୍ମଗୁରୁ ଦଲାଇଲାମାଙ୍କ ବ୍ୟକ୍ତିଗତ ପ୍ରେରଣାରେ ଶ୍ରୀ ପଟ୍ଟନାୟକ ଏହି ଅମୂଲ୍ୟ ପୁସ୍ତକ ରଚନା କରିଥିବାରୁ ନବଗୁଞ୍ଜର ମଞ୍ଚ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି।

ନବଗୁଞ୍ଜର ସମ୍ମାନ ଘୋଷଣାର ପ୍ରତିକ୍ରିୟାରେ ପ୍ରବୀର ପଟ୍ଟନାୟକ କହିଛନ୍ତି ଯେ, ଦ୍ଵିତୀୟ ବୁଦ୍ଧ, ପଦ୍ମସମ୍ଭବଙ୍କ ବିଶାଳ ଧାର୍ମିକ ଓ ତାନ୍ତ୍ରିକ କୀର୍ତ୍ତିକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବିତ ହେବା ଉଚିତ୍ । ସେ କହିଛନ୍ତି ଯେ, ଚଳିତ ଅଗଷ୍ଟ ଶେଷ ସପ୍ତାହରେ, ସେ ପାଟଣା ନିକଟସ୍ଥ ନବନାଳନ୍ଦା ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ସମ୍ମିଳନୀରେ ଯୋଗଦେଇ ଉଡ୍ଡୀୟାନ ଗୁରୁ ପଦ୍ମସମ୍ଭବ ବା ଦ୍ଵିତୀୟ ବୁଦ୍ଧ ଯେ ଓଡ଼ିଶାର ସମ୍ବଲପୁର ଅଞ୍ଚଳରେ ଜନ୍ମିତ, ଏ ସମ୍ପର୍କିତ ଗବେଷଣା ଲବ୍ଧ ତଥ୍ୟସମୂହ ଉପସ୍ଥାପନ କରିବେ। ରାଜ୍ୟ ସରକାର ଏହି ବିଷୟରେ ସାହାଯ୍ୟ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ ଜଣାଇଛନ୍ତି। ଏହି ପୁସ୍ତକକୁ ଓଡ଼ିଆ ଓ ହିନ୍ଦୀରେ ପ୍ରକାଶିତ କରାଗଲେ ଓଡ଼ିଶାର ଜନସାଧାରଣ ତଥା ସାରା ଦେଶର ବୌଦ୍ଧଧର୍ମ ପ୍ରେମୀ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Comments are closed.