Latest Odisha News

ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବୟକଟ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର:  ଆରମ୍ଭ ହୋଇଯାଇଛି ବିଧାୟକଙ୍କ ପାଠଶାଳା । ଆଜି ଓ ଆସନ୍ତାକାଲି ଦୁଇ ନିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଗକୁ ବଢାଇଛନ୍ତି । ଏହାପରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବିଧାୟକଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ । ଏଥିସହିତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀପରିଷଦ ଓ ସମସ୍ତ ନବ ନିର୍ବାଚିତ ବିଜେପି ବିଧାୟକ ଉପସ୍ଥିତ ରହିଛନ୍ତି ।

ସେପଟେ ବିରୋଧୀ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି । ପୂର୍ବ ସୂଚନା ଅନୁଯାୟୀ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି । ସେପଟେ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ବି ଏଥିରେ ଯୋଗ ଦେଇନାହାନ୍ତି । ସେହିପରି କଂଗ୍ରେସର ବି କୌଣସି ବିଧାୟକ ଏହି କାର୍ଯ୍ୟକ୍ରମକୁ ଆସିନାହାନ୍ତି ।

ତେବେ କହିରଖୁଛୁ, ପୂର୍ବରୁ ହିଁ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକରେ ଯୋଗ ଦେବେନି ବୋଲି ଖୋଲା ଖୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତାଙ୍କୁ ସାମିଲ କରି ବିଜେପି କେବଳ ଦଳୀୟ ରାଜନୀତି କରୁଛି ବୋଲି କହିଥିଲେ ବିରୋଧୀ । ଯାହାକୁ ନେଇ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପୂର୍ବରୁ ବିରୋଧ କରିଆସୁଥିଲେ ବିରୋଧୀ ।

ଏନେଇ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଗୃହର ଗରିମା ନଷ୍ଟ ହେଉଥିବା କାରଣ ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନଆସିବାକୁ ଘୋଷଣା କରିଥିଲା। ଯାହାର ଝଲକ ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଖିବାକୁ ମିଳିଛି ।

Comments are closed.