Latest Odisha News

ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବା ଏହି ଅଭିଯାନର ଲକ୍ଷ୍ୟ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ସଦସ୍ୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁସାରେ, ୪୫ ଦିନ ଧରି ଚାଲିବ ବିଜେପିର ଏହି ଅଭିଯାନ । ଆଗକୁ ଜିଲ୍ଲା ଏବଂ ମଣ୍ଡଳସ୍ତରରେ ସଦସ୍ୟତା ଅଭିଯାନ ନେଇ କର୍ମଶାଳା ଅନୁଷ୍ଠିତ ହେବ ବୋଲି କହିଛି ବିଜେପି । ଏଥିଲାଗି ୩୬  ସାଙ୍ଗଠନିକ ଜିଲ୍ଲାର ୩୬ହଜାର ବୁଥରୁ ପ୍ରାଥମିକ ସଦସ୍ୟତା ଅଭିଯାନ ହେବ । ବୈଷୟିକ ଜ୍ଞାନ, ବ୍ୟକ୍ତିଗତ ସମ୍ପର୍କ, ସାଂଗଠିକ ଶକ୍ତି ମିଶ୍ରଣରେ ବିପୁଳ ସଂଖ୍ୟାରେ ବିଜେପି ସଦସ୍ୟତା ଗଠନ କରିବ ।

ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୬,୨୭ ଓ ୨୮ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଆୟୋଜନ କରାଯିବ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।  ଏଥିଲାଗି ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ ତୀବ୍ର କରାଯିବ ।

 

Comments are closed.