Latest Odisha News

ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି, ଆଜି ବଙ୍ଗଳାରୁ ଆସିବ ଆଳୁ

ଭୁବନେଶ୍ୱର: ମାସେ ହେଲା ଆଳୁକୁ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ଲାଗିପାରେ ବ୍ରେକ୍। ଦୂର ହେବ ଆଳୁ ସଙ୍କଟ। ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି। ଆଜିଠୁ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ଦେଇଥିବା ଧର୍ମଘଟ ଡାକରା ଯୋଗୁଁ ସେଠାରେ ଆଳୁ ଦର ଉଚ୍ଚ ହୋଇଛି। ଏଥିପାଇଁ ମମତା ବାନାର୍ଜୀ ବାଧ୍ୟ ହୋଇ ବ୍ୟବସାୟୀଙ୍କ ଦାବିକୁ ସ୍ଵୀକାର କରିଛନ୍ତି। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଛନ୍ତି।

ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଳୁ ବ୍ୟବସାୟୀ ଜରୁରୀ ବୈଠକ ହୋଇଥିଲା। ଗତ ଶନିବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ବ୍ୟବସାୟୀମାନେ ଧର୍ମଘଟ ଆରମ୍ଭ କରିଥିଲେ। ଅନ୍ୟ ରାଜ୍ୟରେ ଆଳୁ ପଠାଇବା ବେଳେ ପୋଲିସ ବ୍ୟବସାୟୀଙ୍କୁ ବାଧା ଦେଇଥିଲା। ଆଳୁ ଗାଡି ସୀମା ପାର କରିବା ବେଳେ ପୋଲିସ ଟ୍ରକ ପିଛା ଟଙ୍କା ଆଦାୟ କରୁଥିଲା। ଏଥିରେ ପାଇଁ ବ୍ୟବସାୟୀମାନେ କ୍ଷତି ସହୁଥିଲେ। ଏହାକୁ ବିରୋଧ କରି ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିପାଇଁ ସରକାର ମଙ୍ଗଳବାର ଏକ ବୈଠକ ଡାକିଥିଲେ।

ବଙ୍ଗଳା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେବା ପରେ ଓଡିଶାର ଖାଉଟିମାନେ ଆଶ୍ୱସ୍ତ ହୋଇଛନ୍ତି। ଆଜି ପଶ୍ଚିମବଙ୍ଗରୁ ଅଧିକ ଗାଡି ଲୋଡ ହୋଇ ରାଜ୍ୟକୁ ଆଣିବାକୁ ଓଡିଶା ବ୍ୟବସାୟୀମାନେ ପ୍ରସ୍ତୁତ ହେଉଛନ୍ତି। ସେଠାରୁ ଆଳୁ ପରିବହନ ସ୍ୱାଭାବିକ ହେଲେ ରାଜ୍ୟରେ ଆଳୁ ଦର କମିବା ସହ ଭଲ ମାନର ଆଳୁ ମିଳିବ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ମମତା ଦିଦିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ ତେବେ ବଙ୍ଗଳାକୁ ଅଧିକ ଆଳୁ ଆସିଲେ ଓଡିଶାରେ ଲାଗିରହିଥିବା ଆଳୁ ସମସ୍ୟା ଦୂର ହେବ।

 

Comments are closed.