Latest Odisha News

ଚିକିଟି ମଦମୃତ୍ୟୁ: ‘ବିଜେଡି ଲିଙ୍କରେ ଚାଲିଥିଲା କାରବାର’

ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ମାମଲାରେ ଅଛି ବିଜେଡି ଲିଙ୍କ୍ । ବିଜେଡି ହାତରେ ହିଁ ଚାଲିଥିଲା ବିଷାକ୍ତ ମଦର ଚୋରା କାରବାର । କିଛି ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ଚିକିଟି ବିଜେପି ବିଧାୟକ ।

ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଏବେ ତେଜିଛି ପ୍ରବଳ ଉତ୍ତେଜନା । ଏହାରି ଭିତରେ ଏନେଇ ବଡ ବୟାନ ଦେଇଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ଏହି ସ୍ଥିତି ପାଇଁ ବିଜେଡି ହିଁ ଦାୟୀ ବୋଲି କହିଛନ୍ତି ବିଧାୟକ । ଏନେଇ ବିଧାୟକ କହିଛନ୍ତି, ଏହି ବିଷାକ୍ତ ମଦ କାରବାର ବିଜେଡି ଲିଙ୍କ୍‌ରେ ହିଁ ଚାଲିଥିଲା । ବର୍ଷ ବର୍ଷ ଧରି ବିଜେଡି ହିଁ ଏହି କାରବାର ଚଳାଇଆସୁଛି ବୋଲି କହି ସଙ୍ଗୀନ ଆରୋପ ଲଗାଇଛନ୍ତି ବିଜେପି ବିଧାୟକ । ଏକଥା ସିଏ ନୁହେଁ ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି ବୋଲି ବିଧାୟକ କହିଛନ୍ତି । ଆଉ ଏବେ ବିଧାନସଭାରେ ବିଜେଡି ଏ ପ୍ରସଙ୍ଗ ଉଠାଉଛନ୍ତି । ଏହା କେବଳ ବିଜେଡିର ରାଜନୀତି ଛଡା ଆଉ କିଛି ନୁହେଁ ବୋଲି ବିଧାୟକ କହିଛନ୍ତି । ଏହାସହିତ ବିଧାୟକ ଏହା ବି କହିଛନ୍ତି ଯେ ଏହି ଘଟଣାର ତଦନ୍ତ ହେଲେ ସବୁ ସତ୍ୟ ଜଣାପଡ଼ିବ । ଏଥିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତାହା ସାମ୍ନାକୁ ଆସିବ । ସରକାରଙ୍କୁ ବଦନାମ କରିବାକୁ ଏହା ବିଜେଡିର ଚକ୍ରାନ୍ତ ବୋଲି କହିଛନ୍ତି ବିଧାୟକ । ସେପଟେ ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନାଯୋଗ୍ୟ, ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ। ସେପଟେ ଏହାକୁ ନେଇ ତେଜିଛି ବିରୋଧ । ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ୍‌ ମଦ ମାଫିଆ ସୁରେନ୍ଦ୍ର ମଲ୍ଲିକ ସହଯୋଗୀ ନିରଞ୍ଜନ ମଲ୍ଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

Comments are closed.