Latest Odisha News

ଚର୍ଚ୍ଚାରେ ମୋଦିଙ୍କ ୟୁକ୍ରେନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ । ପୋଲାଣ୍ଡ ଅପେକ୍ଷା ୟୁକ୍ରେନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ରହିଛି ସମସ୍ତଙ୍କର ନଜର । ଗତ ମାସ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ । ହେଲେ ଋଷିଆ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ କିଛି ଦେଶ । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମୋଦିଙ୍କ ମସ୍କୋ ଗସ୍ତକୁ ନାପସନ୍ଦ କରିଥିବା ବେଳେ ଆମେରିକା ମଧ୍ୟ ଆପତ୍ତି ଉଠାଇଥିଲା । ୩୦ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତରେ ଯାଉଛନ୍ତି । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ପରେ ପ୍ରଧାନମନ୍ତ୍ରୀ ଜି-୭ ଭଳି ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିସାରିଛନ୍ତି । କିନ୍ତୁ କିଏଭ ଗସ୍ତ କରିନାହାନ୍ତି ।

ଋଷିଆ ଖପ୍ପା ହେବା ଆଶଙ୍କା

ପାଶ୍ଚାତ୍ୟ ଦେଶଙ୍କ ଚାପରେ ପ୍ରଧାନମନ୍ତ୍ରୀ କ’ଣ ୟୁକ୍ରେନ ଗସ୍ତ କରୁଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ଡାମେଜ କଂଟ୍ରୋଲ ପାଇଁ ମୋଦି ୟୁକ୍ରେନ ଯାଉନାହାନ୍ତି ତ? ମୋଦିଙ୍କ ୟୁକ୍ରେନ ଗସ୍ତରେ ଖପ୍ପା ହେବନି ତ ଋଷିଆ? । କିଛି ବିଶେଷଜ୍ଞଙ୍କ ମତରେ ଋଷିଆ ଖପ୍ପା ହେବା କି ନ ହେବା ଭାରତ ପାଇଁ କୌଣସି ଫରକ ପଡିବ ନାହିଁ । କାରଣ ଋଷିଆ ରାଷ୍ଟ୍ରପତି ଭାରତ ସହ ବନ୍ଧୁତା କଥା କହି ସବୁବେଳେ ଶତ୍ରୁତା ଆଚରଣ କରିଥିବା ଚୀନ୍ ଗସ୍ତରେ ବି ଯାଉଛନ୍ତି ।
ୟୁକ୍ରେନ ଗସ୍ତର ସମୟ ଠିକ୍ ନୁହେଁ ?
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଏପରି ଏକ ସମୟରେ ହେଉଛି, ଯେତେବେଳେ କି ୟୁକ୍ରେନର ସେନା ଋଷିଆ ସୀମା ଭିତରେ ପଶି ଜୋରଦାର ଆକ୍ରମଣ କରିଛନ୍ତି । ଏପରିକି ୟୁକ୍ରେନ ଋଷିଆର କିଛି ଅଂଚଳ ଉପରେ କବଜା କରିଛି । ସ୍ଥିତି ବିଗିଡିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । କିଛି ବିଶେଷଜ୍ଞଙ୍କ ମତରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ୟୁକ୍ରେନ କାହିଁକି ଯାଉଛନ୍ତି, ତାହା ବୁଝାପଡୁନାହିଁ । ଯୁଦ୍ଧ ସ୍ଥିତି ଏବେ ସଂଗୀନ ହୋଇଥିବା ବେଳେ ମୋଦିଙ୍କ ୟୁକ୍ରେନ ଗସ୍ତକୁ ପ୍ରଶ୍ନ କରିଛନ୍ତି କିଛି ବିଶେଷଜ୍ଞ । ୟୁକ୍ରେନ ସେନା ଋଷିଆ ଭିତରେ ପଶିଲା ପରେ ପୁଟିନ ଏବେ ବଡ ଧରଣର ଜବାବୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସମ୍ବେଦନଶୀଳ ସ୍ଥିତିରେ ମୋଦି ୟୁକ୍ରେନ ଯିବା କ୍ଷତିକାରକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

କ’ଣ କହୁଛି ବୈଦେଶିକ ମନ୍ତ୍ରାଳୟ?

ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଓ ଏହାର ଟାଇମିଂକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଋଷିଆ ଗସ୍ତ ନେଇ ପାଶ୍ଚାତ୍ୟ ଦେଶଙ୍କ ସମାଲୋଚନା କାରଣରୁ ପ୍ରଧାନମନ୍ତ୍ରୀ ୟୁକ୍ରେନ ଯାଉଛନ୍ତି ବୋଲି ହେଉଥିବା ଚର୍ଚ୍ଚାକୁ ଖାରଜ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଭାରତର ନିଜର ସ୍ୱତନ୍ତ୍ର ବୈଦେଶିକ ନୀତି ରହିଛି । ଉଭୟ ଋଷିଆ ଓ ୟୁକ୍ରେନ ସହ ଭାରତର ସଂପର୍କ ମଜବୁତ୍ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାହାର କ୍ଷତି ବା କାହାର ଫାଇଦା ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ।

ଋଷିଆ-ୟୁକ୍ରେନ ଯୁଦ୍ଧ ଓ ଭାରତ

୨୦୨୨ ଫେବ୍ରୁଆରୀ ମାସରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ହେଲେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଭାରତ କେବେ ନିନ୍ଦା କରିନାହିଁ କି ନା ଜାତିସଂଘରେ ଋଷିଆ ବିରୋଧୀ ପ୍ରସ୍ତାବକୁ ସମର୍ଥନ କରିଛି । ଭାରତର ଏହି ନୀତିରେ ଆମେରିକା ଓ ଏହାର ସହଯୋଗୀ ନିରାଶ ହୋଇଛନ୍ତି । ଭାରତ କିନ୍ତୁ ୟୁକ୍ରେନକୁ ମାନବୀୟ ସହାୟତା ଦେଇଆସୁଛି ।

Comments are closed.